ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ପୁଣ୍ୟ ତିଥି ଆରାଧନା ଦିବସ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବୁଧବାର ଦିନ ଦିବ୍ୟ ଜୀବନ ସଂଘ, ନାରାୟଣପୁର ଶାଖା ସହ ସାରା ବିଶ୍ୱ ଦିବ୍ୟ ଜୀବନ ସଂଘ ଦ୍ୱାରା ସଦଗୁରୁଭଗବାନ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ୧୧ତମ ପୁଣ୍ୟ ତିଥି ଆରାଧନା ଦିବସ ସଂଘର ବରିଷ୍ଠ ଗୁରୁଭାଇ ଅରୁଣ କୁମାର ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରହ୍ମ ମୁହୁର୍ତ୍ତରେ ଜୟ ଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଜପ ଧ୍ୟାନ, ଗୁରୁପାଦ ପୂଜା, ଅର୍ଚ୍ଚନା ସହ ଗୀତା ପାଠ, ଶ୍ରୀସୂକ୍ତମ୍, ଶନିଶ୍ଚର ସ୍ତୋତ୍ରମ୍ ଇତ୍ୟାଦି ପାଠ କରାଯାଇଥିଲା ପରେ ପରେ ବିଶ୍ୱର କଲ୍ୟାଣ ଓ ଜଗତର ମଙ୍ଗଳ ନିମନ୍ତେ ଶାନ୍ତି ମନ୍ତ୍ର ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହରାଜ ଓ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ । ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଜଣେ ଜୀବନ୍ମୁକ୍ତ ପୁରୁଷ ଥିଲେ । ଗୁରୁନିଷ୍ଠ, ବ୍ରହ୍ମଜ୍ଞାନୀ, ଅନ୍ତିମ ଶ୍ୱାସ ପର୍ଯ୍ୟନ୍ତ ନିଜ ଗୁରୁ ଭଗବାନଙ୍କ ସେବା କରିବା, ଗୁରୁ ଭଗବାନଙ୍କ ବାଣୀକୁ ପ୍ରସାର ପ୍ରଚାର କରିବା, ସମ୍ବାଦ ସନ୍ଦେଶ ସାରା ବିଶ୍ୱର ପ୍ରତ୍ୟେକ ପରିବାରରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ ଥିଲା । ସେ ନିଜ ଜୀବନକୁ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହ ସମସ୍ତଙ୍କ ଠାରେ ନାରାୟଣ ଦର୍ଶନ କରୁଥିଲେ ଏବଂ ତାଙ୍କର ସ୍ୱଭାବ ଛୋଟ ଶିଶୁ ଭଳି ଥିଲା । ସେ ଜୀବନରେ କୁଷ୍ଠ ରୋଗୀମାନଙ୍କ ସେବା କରୁଥିଲେ । ସେ ନିଜ ଶରୀରକୁ ପରର ଉପକାରେ ଲଗାଇବା ତାଙ୍କର ମୂଳ ମନ୍ତ୍ର ଥିଲା । ତେଣୁ ସେ କହିଥିଲେ ‘ଇଦଂ ଶରୀରଂ ପରୋପକାରାୟ’ । ଏହି କାର୍ଯ୍ୟକ୍ରମରେ ଭିଲାଇ ଗସ୍ତରେ ଯାଇଥିବା ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ମହାରାଜ ଫୋନ୍ ମାଧ୍ୟମରେ ଏହି ଶାଖାର ଗୁରୁ ଭାଇ ଗୁରୁଭଉଣୀମାନଙ୍କୁ ଜଣାଇଥିଲେ । ସ୍ୱାମୀ ଚିଦାନନ୍ଦ ହେଉଛନ୍ତି ଜଣେ ଦିବ୍ୟ ପୁରୁଷ । ସେ ଯେଉଁ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ, ସେହି ତାରିଖରେ ମହା ପ୍ରୟାଣ ହୋଇଥିଲେ । ଏହି ପରି ମହାନ୍ ସନ୍ଥ ମିଳିବା ଅତି ବିରଳ ଓ ଦୁର୍ଲ୍ଲଭ ବୋଲି ପ୍ରକାଶ କରିଥିଲେ । ଏଥିରେ ସଂଘର ସଭାପତି ପି. ଭୀମେୟା ରେଡ୍ଡି , ସମ୍ପାଦକ ଏନ୍. ସିମାଦ୍ରୀ ରେଡ୍ଡି , କୋଷାଧ୍ୟକ୍ଷ ଭାସ୍କର ବେହେରା, ଗୋପାଳ କୃଷ୍ଣ ପଣ୍ଡା, ସତ୍ୟ ନାରାୟଣ ପଟ୍ଟନାୟକ, ରାଜେଶ୍ୱରୀ ବେହେରାଙ୍କ ସମେତ ପ୍ରାୟ ୧୦୦ ରୁ ଉଦ୍ଧ୍ୱର୍ ଗୁରୁଭାଇ ଗୁରୁଭଉଣୀ ଯୋଗଦାନ କରିଥିଲେ । ପରିଶେଷରେ ସମ୍ପାଦକ ଏନ୍. ସିମାଦ୍ରୀ ରେଡ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।