ଚିନାବାଦାମ ତୋଳିବା ଯନ୍ତ୍ର ପ୍ରଦର୍ଶିତ

କଣାସ( ଯୁଗାଦ୍ଧ ନ୍ୟୁଜ): ଓୟୁଏଟି ଭୁବନେଶ୍ୱର ସ୍ଥିତ ଭାରତୀୟ କୃଷି ଯନ୍ତ୍ରପାତି ଗବେଷଣା ପ୍ରକଳ୍ପ ଏବଂ ପୁରୀ ଜିଲ୍ଲାର ସାକ୍ଷୀଗୋପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲାର କଣାସ ବ୍ଲକ ଲୋକାପାଳ ଗାଁରେ ଟ୍ରାକ୍ଟର ଚାଳିତ ଚିନାବାଦାମ ଅମଳଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା । ଯନ୍ତ୍ରଟି ଚିନାବାଦାମ ଜମିରୁ ଉପଡାହେଲା ପରେ ଗଛରୁ ଫଳକୁ ଅଲଗା କରିବା ପାଇଁ ବ୍ୟବହାର କରାଯାଏ । ପ୍ରଦର୍ଶନରୁ ଦେଖାଗଲା ଯେ ଏହି ଯନ୍ତ୍ରଟି ଏକ ଘଣ୍ଟାରେ ୭ରୁ୮ କ୍ୱିଣ୍ଟାଲ ଚିନାବାଦାମ ଓପାଡୁଛି ଓ ଗଛରୁ ଅଲଗା କରିପାରୁଛି । ଅପରପକ୍ଷରେ ଦେଖିବାକୁ ଗଲେ ଚାଷୀମାନେ ଦିନକେ ହାତରେ ୪୦କିଗ୍ରା ବାଦାମ ଗଛରୁ ଛଡାଇବାକୁ ସକ୍ଷମ ହେଉଛନ୍ତି । ତେଣୁ ଏହି ଯନ୍ତ୍ର ଦ୍ୱାରା ଅମଳ କଲେ ଉଭୟ ସମୟ ଓ ମଜୁରୀ ଖର୍ଚ୍ଚ ସଞ୍ଚୟ ହୋଇପାରୁଥିବାରୁ ଚାଷୀଙ୍କ ପକ୍ଷରେ ଯନ୍ତ୍ରଟି ଗ୍ରହଣୀୟ ହୋଇଥିଲା । କାର୍ଯ୍ୟକ୍ରମରେ ଓୟୁଏଟିର ଗବେଷଣା ପ୍ରକଳ୍ପ ମୁଖ୍ୟ ଡଃ ପଦ୍ମଲୋଚନ ପ୍ରଧାନ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଇଂଜିନିୟର ଦୀପଶିଖା ପରମଜିତା ଏବଂ ସୋନିତାରାଣୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଯନ୍ତ୍ରଟିର ଉପକାରିତା ଅନୁଭବ କରି ଆଖପାଖ ଗାଁର ଚାଷୀ ଭାଇମାନେ ମଧ୍ୟ ଏହାକୁ ବ୍ୟବହାର କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଗ୍ରାମର ମୁଖ୍ୟ ଚାଷୀ ରାଧେଶ୍ୟାମ ବିଶ୍ୱାଳ କାର୍ଯ୍ୟକ୍ରମକୁ ସଫଳଭାବେ ସଂପାଦନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ