ଚିନ୍ତାମଣି ପାଣିଗ୍ରାହୀ ଥିଲେ ଉତ୍କଳର ସୁଯୋଗ୍ୟତ୍ତମ ସନ୍ତାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମ୍ପାଦକ, ରାଜନୀତିଜ୍ଞ, ଆସାମର ପୂର୍ବତନ ରାଜ୍ୟପାଳ ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀଙ୍କ ୧୦୧ତମ ଜୟନ୍ତୀ ସ୍ଥାନୀୟ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସ ମଣ୍ଡଳୀ କାର୍ଯ୍ୟାଳୟଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ଭାଷାପ୍ରାଣ ସୀତାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସ୍ୱର୍ଗତ ପାଣିଗ୍ରାହୀ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଜ୍ୟପାଳ ତଥା ଉତ୍କଳର ସୁଯୋଗ୍ୟ ସନ୍ତାନ ଭାବେ ତାଙ୍କର କାର୍ଯ୍ୟଧାରା ଚିର ସ୍ମରଣୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଜନସାଧାରଣ ଙ୍କ ସମସ୍ୟା ସମାଧାନ ଦିଗରେ ଅହରହ ଚେଷ୍ଟିତ ରହିବା ସହିତ ସାହିତ୍ୟିକ ଭାବେ ଗାନ୍ଧୀ କାହାଣୀ, ନୂତନ ପ୍ରବାହ, ଯୁଗ ସାହିତ୍ୟ ପ୍ରମୁଖ ଆଜି ବି ତାଙ୍କୁ ଚିର ଅମର କରିଛି । ସେ ପୁରୀ ଜିଲ୍ଲା ବିଶ୍ୱନାଥପୁରର ପ୍ରତିଭା ଭାବେ ଭୂମିଷ୍ଠ ହୋଇଥିଲେ । ସ୍ମୃତିଚାରଣ ସଭାରେ ପର୍ଶୁରାମ ଦ୍ୱିବେଦୀ, ପ୍ରଭାତ ନନ୍ଦ, ଆରତୀ କର, ରାମନାରାୟଣ ମିଶ୍ର, ବିବେକାନନ୍ଦ ପାଣିଗ୍ରାହୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ରମାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।


