ଚିହ୍ନଟ ହେଲା ବସ ଦୁର୍ଘଟଣା ର ଅଷ୍ଟମ ଯାତ୍ରୀ; ଗ୍ରାମରେ ଶୋକାକୁଳ ପରିବେଶ 

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଗତ ପାଞ୍ଚ ତାରିଖରେ ରାୟପୁର ନିକଟସ୍ଥ ଚେରିଖେଡୀ ଠାରେ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଠ ଜଣଙ୍କ ମଧ୍ୟରୁ ସାତ ଜଣଙ୍କ ପରିଚୟ ମିଳିଥିବା ବେଳେ ଅଷ୍ଟମ ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା ଓ ଆଜି ବ୍ରହ୍ମପୂର ବଡ଼ ମେଡ଼ିକାଲରେ ସେହି ବ୍ୟକ୍ତି ଜଣଙ୍କ ଶବକୁ ଚିହ୍ନଟ କରାଯାଇ ସେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମର ଭଜରାମ ଡାକୁଆଙ୍କ ପୁଅ ବୁଲୁ ଡାକୁଆ (୪୫)ବୋଲି ଜଣା ପଡିଛି| ସ୍ଥାନୀୟ ସରପଞ୍ଚ ଓ ପରିବାର ଲୋକେ ଶବକୁ ଚିହ୍ନଟ କରିବା ପରେ ପ୍ରଶାସନ ତରଫରୁ ଶବକୁ ଗ୍ରାମକୁ ଅଣାଯାଉଛି | ବୁଲୁ ପ୍ରାୟ କୋଡିଏ ବର୍ଷ ତଳୁ ପରିବାର ପ୍ରତି ପୋଷଣ ପାଇଁ ଗୁଜୁରାଟର ସୁରତରେ ସୁତାକଳରେ କାମ କରି ଆସୁଥିଲା | ଗତ ଲକ୍ ଡ଼ାଉନ୍ ରେ କାମ ଧନ୍ଦା ହରାଇବାରୁ ଗାଆଁକୁ ଚାଲି ଆସିଥିଲା , ବୁଲୁ ଏକ ମାତ୍ର ଘରର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ଘର ଚଳାଇବା ତା’ ପାଇଁ କଷ୍ଟସାଧ୍ୟ ହୋଇଥିଲା ଓ ଲକ୍ ଡ଼ାଉନ୍ ଭିତରେ ବୁଲୁର ବଡ଼ ଝିଅ ରୀନାର ବାହା ଘର ଦେଢ଼ ମାସ ତଳେ ହୋଇଥିଲା | ଝିଅ ବାହାଘରରେ ବୁଲୁ ଲକ୍ଷାଧିକ ଟଙ୍କା ବାହାରୁ କରଜ ଆଣିଥିଲା ଓ ଶେଷରେ ଘର ବନ୍ଧା ପକାଇ ୫୦୦୦୦ ଟଙ୍କା ମଧ୍ୟ ଆଣିଥିଲା | ଘରେ ବୃଦ୍ଧ ମାଆ ଶୋଭା, ସ୍ତ୍ରୀ ବିଧି ଓ ଆଉ ଦୁଇ ଝିଅ ସହ ଏକ ପୁଅକୁ ମିଶାଇ ପାଞ୍ଚ ପାରିବାର ହେଉଥିବାରୁ ଏପଟେ ପରିବାରର ବୋଝ ସେପଟେ କରଜ ଆଣିଥିବା ଟଙ୍କା ଶୁଝିବାକୁ ନେଇ ଚିନ୍ତାରେ ରହୁଥିଲା |   ତିନି ତାରିଖରେ ସୁତାକଳ ମାଲିକ ଗାଡ଼ି ପଠାଇଥିବା ଖବର ପାଇଥିଲା ଓ ସୁତା କଳ ଚାଲୁ ହୋଇଯାଇଥିବାରୁ ଘରେ ନ ରହି କର୍ମସ୍ଥଳୀକୁ ଯିବାକୁ ମନସ୍ଥ କରିଥିଲା | ଚାରି ତାରିଖରେ ସେହି ଗ୍ରାମର ଧୋବା ଜେନାଙ୍କ ପୁଅ ଟୁକୁନା (୩୪) ଓ ବୁଲୁ ଦୁହେଁ ସେହି ବସ୍ ରେ ଚଢି ଥିଲେ  ଟୁକୁନାର ଗୋଡ଼ ମାଡ ହୋଇଥିବା ବେଳେ ସେ ରାୟପୁର ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଖବର| କିନ୍ତୁ ବୁଲୁ ବିଷୟରେ କେହି କିଛି କହି ପାରୁନଥିଲେ  ବିଭିନ୍ନ ଆଶଙ୍କା ଭିତରେ ବୁଲୁ ଫେରିବ ବୋଲି ଚାତକ ଭଳି ଚାହିଁ ରହିଥିବା ବୁଲୁର ପରିବାରକୁ ଆଜି ୧୨ ଘଣ୍ଟ ୩୦ ମିନିଟ୍ ସମୟରେ ଲେବର ଅଫିସ୍ ରୁ ଫୋନ୍ ଆସିଥିଲା ଶବ ଚିହ୍ନଟ କରିବା ପାଇଁ | ତହସିଲଦାର ସରୋଜ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଖଇରପୁଟି ସରପଞ୍ଚ ପ୍ରତିନିଧି ଦିଲ୍ଲୀ ଜେନା ଓ ବୁଲୁଙ୍କ ସମ୍ପର୍କିୟମାନେ ଯାଇ ଶବଟି ବୁଲୁ ଡାକୁଆର ବୋଲି ଚିହ୍ନଟ କରିଥିଲେ | ବୁଲୁଙ୍କ ଶବ ନିଜ ଗ୍ରାମରେ ପହଞ୍ଚିବା ପାଇଁ ବିଡିଓ ଶଶୀ ଭୂଷଣ ମହାପାତ୍ର ଏକ ମହା ପ୍ରୟାଣ ଗାଡ଼ିକୁ ବ୍ରହ୍ମପୁର ପଠାଇଥିବା ଜଣା ପଡ଼ିଛି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା, ରେଡକ୍ରସ୍ ରୁ ଦଶ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଯୋଗାଇ ଦିଆଯିବ ସହ ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ | ବୁଲୁର ମୃତ୍ୟୁ ଖବର ପହଞ୍ଚିବା ପରେ ପରିବାରର କାନ୍ଦ ବୋବାଳିରେ ଗାଆଁ ଫାଟି ପଡ଼ୁଛି  ବୁଲୁ ଘରର ଏକ ମାତ୍ର ରୋଜଗାରିଆ ବ୍ୟକ୍ତି ଥିବାରୁ ଏବଂ ତା ଉପରେ ପରିବାରର ପାଞ୍ଚ ଜଣ ବ୍ୟକ୍ତି ନିର୍ଭର କରୁଥିବାରୁ ବୁଲୁର ମୃତ୍ୟୁ ତା ପରିବାର ପାଇଁ ବଜ୍ର ଚଡକ ସମ ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ