ଚୁକ୍ତିଭିତ୍ତିକ ଉଚ୍ଛେଦ ପାଇଁ ରାଜ୍ୟବ୍ୟାପୀ ପୋଷ୍ଟକାର୍ଡ଼ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ତରଫରୁ ରବିବାର ଦିନ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ କନିଷ୍ଠ ଶିକ୍ଷକମାନେ ନିଜ ନିଜର ବ୍ଲକରେ ଏକ ରାଜ୍ୟବ୍ୟାପୀ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ତା ୧୫.୧୦.୨୦୨୨ରିଖରେ ଓଡ଼ିଶା ମାଟିରୁ ଚୁକ୍ତିଭିତ୍ତିକ ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ ସୁଦ୍ଧା ବର୍ତ୍ତମାନ ପ୍ରାୟ ୫ ମାସ ବିତିଗଲାଣି । କିନ୍ତୁ ଆଜିବି ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାୟ ଦଶହଜାର କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ସ୍ୱଳ୍ପ ଦରମାରେ ଚୁକ୍ତିଭିତ୍ତିକରେ ଅଛନ୍ତି । ରାଜ୍ୟରେ ୫୭ ହଜାର କର୍ମଚାରୀମାନଙ୍କ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା କିନ୍ତୁ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନେ ରାଜ୍ୟ ସରକାରଙ୍କ ଓଆରଭି ୧୯୭୫ ଧାରା ପାଳନ କରି ଡିଏଲ୍‌ଇଡି, ବିଇଡି ତାଲିମ ପାଇଁ ଚୟନମୂଳକ ପରୀକ୍ଷା ଏବଂ ଓଟିଇଟି ବାଧ୍ୟତାମୂଳକ ଭାବେ ସମସ୍ତ ସର୍ତ୍ତ ପୂରଣ ପରେ ନିଯୁକ୍ତି ପାଇଥିଲେ ମଧ୍ୟ ଚୁକ୍ତିଭିତ୍ତିକ ପ୍ରଥାରୁ ଉଚ୍ଛେଦ ହୋଇନାହାଁନ୍ତି । ବହୁବାର ଆଲୋଚନା ପରେ ମୁଖ୍ୟ ଶାସନ ସଚିିବ କେନ୍ଦ୍ର ସ୍କିମ୍ କହି ମନା କଲାବେଳେ ପାନୀୟ ଜଳଯୋଗାଣ ଜେଇଇ, ଏନ୍‌ଏଚ୍‌ଏମ୍‌ରୁ ନର୍ସିଂ ଅଫିସରମାନଙ୍କୁ ନିୟମିତ କରାଯାଇଛି । ଏଥିରୁ ସହଜରେ ଅନୁମେୟ ନିୟମିତ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି । କିନ୍ତୁ ପ୍ରାଥମିକ ଶିକ୍ଷା ଏବଂ କନିଷ୍ଠ ଶିକ୍ଷକଙ୍କ ପାଇଁ କାହିଁକି ଘୋର ଅବହେଳା କରାଯାଉଛି ତାହା ସହଜରେ ବୁଝି ହେଉନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସମ୍ବିଧାନ ଧାରା ୩୦୯ ଅଧିନିୟମ ଅନୁସାରେ ଜଣେ ନିର୍ବାଚିତ ପ୍ରତିନିଧି ଯେକୌଣସି ପଦବୀ ଏବଂ ତାର ସମ୍ପର୍କିତ ନିୟମ ତିଆରି ଓ ପରିବର୍ତ୍ତନ କରିପାରିବେ । କେନ୍ଦ୍ରୀୟ ଯୋଜନା କହି କନିଷ୍ଠ ଶିକ୍ଷକମାନଙ୍କୁ ବହୁବାର ଘୋର ଅଣଦେଖା କରାଯାଉଥିଲେ ମଧ୍ୟ କେନ୍ଦ୍ରୀୟ ଯୋଜନା ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ପରିବର୍ତ୍ତେ ଠିକା ଶ୍ରମିକ ଭଳି କିଛି ଦରମା ଦେଇ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ସମସ୍ୟା ଘେରରେ ରଖିଛନ୍ତି । ତେଣୁ ୧୨.୦୨.୨୦୨୩ ରିଖ ରବିବାର ଦିନ ସମସ୍ତ କନିଷ୍ଠ ଶିକ୍ଷକ ପୋଷ୍ଟକାର୍ଡ଼ ମାଧ୍ୟମରେ ନିବେଦନ କରିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ହସ୍ତକ୍ଷେପ କରନ୍ତୁ । ତା ୧୩.୦୨.୨୦୨୩ରିଖ ଦିନ ଇ-ମେଲ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁନଶ୍ଚ ନିଜ ଦାବି ଉପସ୍ଥାପନ କରିବେ । ଯଦି ରାଜ୍ୟ ସରକାରଙ୍କ ତରଫରୁ କୌଣସି ସକରାତ୍ମକ ନିଷ୍ପତ୍ତି ନଆସେ ତେବେ ରାଜ୍ୟର ସମସ୍ତ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ତାଙ୍କ ପରିବାର, ବୁଦ୍ଧିଜୀବୀ ସମସ୍ତେ ପ୍ରାଥମିକ ଶିକ୍ଷା ପ୍ରତି ଅଣଦେଖା ନିମନ୍ତେ ପଞ୍ଚାୟତସ୍ତରରୁ ରାଜଧାନୀ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଉଠିବ ଏବଂ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ଏଥିପାଇଁ ଯେକୌଣସି ପ୍ରକାର ସମସ୍ୟା ଉପୁଜିବ, ସେଥିପାଇଁ ଓଡ଼ିଶା ସରକାର ଦାୟୀ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ