ଚୁକ୍ତିଭିତ୍ତିକ ପ୍ରଥାର ଉଚ୍ଛେଦ ପାଇଁ ହାଇକୋର୍ଟରେ ମାମଲା
କଟକ,(ଶ୍ରୀନିବାସ ରାଉତ):ରାଜ୍ୟରୁ ଅସାମ୍ବିଧାନିକ ଚୁକ୍ତିଭିତ୍ତିକ ପ୍ରଥାର ମୁଳୋତ୍ପାଟନ ଲାଗି ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଉଚ୍ଚ ନ୍ୟାୟାଳୟ ରେ ଜନ ସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସମାନ କାମକୁ ସମାନ ଦରମା ନ ଦେଇ ଦିନ ମଜୁରିଆଙ୍କ ଠାରୁ କମ ଦରମା ଦେବା ଏବଂ ସପ୍ତମ ବେତନ କମିଶନରେ ପୁଣି ବେସିକ ପେ ନ ଦେଇ ଅସାମ୍ବିଧାନିକ ଭାବେ ୨୫ ପ୍ରତିଶତ ବୃଦ୍ଧିର ପ୍ରତିବାଦରେ ରୁଜ୍ଜୁ ହୋଇଥିବା ମାମଲାଟିକୁ ବିଚାରପତି ବିଶ୍ଵନାଥ ରଥ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଆଗାମୀ ୬ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାରେ ୨୦୧୩ରୁ ଲାଗୁ ହୋଇଥିବା ଏହି ଚୁକ୍ତିଭିତ୍ତିକ ପ୍ରଥା ଅନୁସାରେ ହଜାର ହଜାର କର୍ମଚାରୀ ଦିନ ମଜୁରିଆଙ୍କ ଠାରୁ ମଧ୍ୟ କମ ବେତନରେ ଜୀବନଯାପନ କରୁଛନ୍ତି। ବି-ଟେକ, ଏମ- ଟେକ, ଏମବିଏ ଭଳି ଉଚ୍ଚଶିକ୍ଷିତ କର୍ମଚାରୀମାନେ ଯଦି ଏମିତି ଦୁର୍ନୀତିର ଶିକାର ହେବେ, ତେବେ ଆମ ରାଜ୍ୟ ତଥା ସମାଜରେ ଶିକ୍ଷାର ମୂଲ୍ୟ ଅବା କଣ ହେବ ? ୨୦୧୬ରେ ସୁପ୍ରିମକୋର୍ଟ ସମାନ କାମକୁ ସମାନ ଦରମାର ଘୋଷଣା କରିଥିଲେ ହେଁ, ଆମ ଓଡିଶାରେ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ତଥାପି ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ କର୍ମଚାରୀ ରାଜ୍ୟରେ ଲାଗୁ ହେବାକୁ ଥିବା ସପ୍ତମ ବେତନ କମିଶନକୁ ନେଇ ଯଥେଷ୍ଟ ଆଶାବାଦୀ ଥିଲେ। ୨୦୧୭ ରେ ଲାଗୁ ହେଇଥିବା ସପ୍ତମ ବେତନ କମିଶନରେ ସରକାର ସମସ୍ତ ନିୟମିତ କର୍ମଚାରୀଙ୍କ ମୂଳ ଦରମାରେ ବୃଦ୍ଧି କରାଇ ଠିକା କର୍ମଚାରୀଙ୍କ ପେଟକୁ ଲାତ ମାରି ମୂଳ ଦରମାର ମାତ୍ର ୨୫ ପ୍ରତିଶତ ବୃଦ୍ଧି କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଆଶାକୁ ଧୂଳିସାତ କରିବା ସହ ସେମାନଙ୍କ ଭବିଷ୍ୟତକୁ ମଧ୍ୟ ଅନ୍ଧାରକୁ ଠେଲିଦେଲେ; ଯାହାକି ରାଜ୍ୟ ସରକାରଙ୍କ ଏକ ଅସାମ୍ବିଧାନିକ ପଦକ୍ଷେପ। ଏହା ବିରୋଧରେ ବହୁ ଥର ଠିକା କର୍ମଚାରୀମାନେ ଅନେକ ଥର ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିଛନ୍ତି। କିନ୍ତୁ ପ୍ରତି ଥର ସେମାନଙ୍କୁ ପ୍ରତିଶୃତି ଦେଇ ଭୁଆଁ ବୁଲାଇଦିଆଯାଇଛି। ପୁନଶ୍ଚ ଏଭଳି ଅମାନୁଷିକ ଅତ୍ୟାଚାର ପ୍ରତିବାଦରେ ଠିକା କର୍ମଚାରୀମାନେ ନିଜ ହକ୍ ପାଇଁ ଡିଜିଟାଲ ଆନ୍ଦୋଳନ ତଥା ଇ ଅଭିଯୋଗ ଜରିଆରେ ସ୍ୱର ଉତ୍ତୋଳନ କଲେ କିନ୍ତୁ ଏହା ପରେ ବି ସରକାର ନିଜ ମୁହଁ ଖୋଲିଲେ ନାହିଁ। ତେଣୁ ପରିଶେଷରେ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି।
ଏହି ମକଦ୍ଦମାଟିକୁ ମହାସଙ୍ଗ ପକ୍ଷରୁ ଆଡଭୋକେଟ ବିଶ୍ବବିହାରି ମହାନ୍ତି ପରିଚାଳନା କରିଥିଲେ । ମୋକଦମା ସହ ରାଜ୍ୟ ସରକାର ଙ୍କୁ ସବୁଆଡୁ ଘେରିବାକୁ ସଙ୍ଘ ନିଷ୍ପତ୍ତି ନେଇଛି ତାହା ସହ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ରାଜ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ଜ୍ୟୋତିପ୍ରକାଶ ମହାପାତ୍ର,କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ,ବିଶ୍ବଜିତ୍ ବିଶ୍ବାଳ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ସ୍ୱାଗତ ନନ୍ଦ,ସୁରେଶ ମହାନ୍ତି,ଦେବାଶିଷ ନାୟକ,ରାଜେନ୍ଦ୍ର ମଲ୍ଲିକ,ସନ୍ତୋଷ ଗୌଡ଼,ଅମୂଲ୍ୟ କୁମାର ଭାରିମଲ୍ଲ,ଅନିତା ବେହେରା,ଲୋଜାଳିନ ପଣ୍ଡା,ଅଳକା ମହାନ୍ତି,ରଶ୍ମି ଦାଶ ପ୍ରମୁଖ ପ୍ରେସ ବ୍ରିବୃତି ରେ କହିଛନ୍ତି ।


