ଚେହେରାର ସୁନ୍ଦରତା ପାଇଁ ବ୍ୟାୟାମ
ପ୍ରତ୍ୟେକ ମହିଳା ସୁନ୍ଦର ଓ ଆକର୍ଷଣୀୟ ଦିଶିବାକୁ ଚାହାଁନ୍ତି । ଏଥିପାଇଁ ସେମାନେ କେତେ କ’ଣ ଉପାୟ ଅବଲମ୍ବନ କରିଥାନ୍ତି । ଏହା ସହିତ ଅନେକ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କଲେ ଚେହେରା ସୁନ୍ଦର ହୋଇନଥାଏ । ବିଭିନ୍ନ ପ୍ରକାର ବ୍ୟାୟାମ ମଧ୍ୟ ଆବଶ୍ୟକ ୨ହୋଇଥାଏ । ଏପରି କିଛି ଶାରୀରିକ ବ୍ୟାୟାମ ରହିଛି ଯାହା ଦ୍ୱାରା ଆପଣଙ୍କ ମୁଖମଣ୍ଡଳ ପ୍ରାକୃତିକ ଉପାୟରେ ଚମକି ଉଠିବ ଓ ଆହୁରି ସୁନ୍ଦର ଦିଶିବ । ଆଉ ଆପଣଙ୍କୁ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କ’ଣ କରିବାକୁ ପଡିବ ।
ଅନେକ ପୁରୁଷ ଓ ମହିଳାଙ୍କ ଗାଲ ଭିତରକୁ ପଶିଯାଇଥାଏ । ଏଥିପାଇଁ ସାଙ୍ଗମାନେ ଟାକୁଆ ଗାଲ କହି ଚିଡ଼ାନ୍ତି । ଯଦି ଆପଣଙ୍କର ଏପରି ହୋଇଛି ଚିନ୍ତା କରନ୍ତୁ ନାହିଁ । ଆପଣ ନିୟମିତ ବ୍ୟବଧାନରେ ବେଲୁନ ଫୁଙ୍କନ୍ତୁ । କଥାଟି ଶୁଣି ଅଜବ ଲାଗୁଥିବ । କିନ୍ତୁ ଚେହେରା ପାଇଁ ଏକ ଉତ୍ତମ ବ୍ୟାୟାମ ହୋଇଥାଏ । ନିଜ ମୁହଁରେ ପବନ ଭରି ବାମପଟ ଓ ଡାହାଣ ପଟରେ ଚାରି ପାଞ୍ଚ ଥର ବୁଲାନ୍ତୁ । ଏହା ପରେ ପବନ କାଢ଼ିଦିଅନ୍ତୁ ।
ସେହିପରି ବୟସ ବଢ଼ିବା ମାତ୍ରେ ଚେହେରାରେ କୁଞ୍ଚନ ସୃଷ୍ଟିହୁଏ । ଏଥିପାଇଁ ମଧ୍ୟ ଦୁଇଟି ଭଲ ବ୍ୟାୟାମ ରହିଛି । ଗୋଟିଏ ହେଲା ନିଜର ଆଖିର ଭ୍ରୂଲତାକୁ ଯେତେ ସମ୍ଭବ ଉପରକୁ ଉଠାନ୍ତୁ ଓ ଆଙ୍ଗୁଳିରେ ଭ୍ରୂଲତାକୁ ମସାଜ କରନ୍ତୁ । ଏଥିରେ ଚେହେରାରେ ଆସିଥିବା କୁଞ୍ଚନ ଧୀରେ ଧୀରେ କମିଯାଏ । ଅନ୍ୟଟି ହେଲା ଲାୟନ ଫେସ୍ ବ୍ୟାୟାମ । ଏଥିପାଇଁ ଧୀରେ ଧୀରେ ପ୍ରଶ୍ୱାସ ଅଟକାଇ ଯଥା ସମ୍ଭବ ଜିଭକୁ ବାହାର କରନ୍ତୁ ଓ ଆଖିକୁ ସମ୍ପୂର୍ଣ୍ଣ ଖୋଲା ରଖନ୍ତୁ । ଏହି ମୁଦ୍ରାରେ ୬୦ ସେକେଣ୍ଡ ପର୍ଯ୍ୟନ୍ତ ରୁହନ୍ତୁ । ଏଥିରେ ଚେହେରାରେ ରକ୍ତ ପ୍ରବାହ ବଢ଼ିଥାଏ ଓ ଚେହେରା ଫିଟ୍ ରହିଥାଏ ।
ଆଖିରେ କଳାଦାଗ ଦୂରେଇ ଦେବାକୁ ମଧ୍ୟ ଭଲ ବ୍ୟାୟାମ ରହିଛି । ଏଥିପାଇଁ ଉପରକୁ ଅନାଇ ଗୋଟିଏ ସ୍ଥାନରେ ଧ୍ୟାନ କେନ୍ଦ୍ରୀଭୂତ କରନ୍ତୁ । ଯେତେ ଦୂର ସମ୍ଭବ ଏପରି ମୁଦ୍ରାରେ ରୁହନ୍ତୁ । ଏପରି କରିବା ଦ୍ୱାରା ଆଖିର ଆଖପାଖରେ ରକ୍ତ ପ୍ରବାହ ହୋଇଥାଏ । ଏଥିରେ କଳା ଦାଗ ଭଲ ହୋଇଥାଏ ।