ଗୋଟିଏ ଚୋଟରେ ଯିବ ୬୦ ଜୀବନ
ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ବର୍ଷାଋତୁ । ଏହି ଋତୁରେ ଜୀବଜନ୍ତୁଙ୍କ ଭୟ ମନ ଭିତରେ ଥାଏ ରହିଥାଏ । ବିଶେଷ କରି ସାପର ଭୟ ତ ଅଧିକ ରହିଥାଏ । ବିଷଧର ସାପ କାମୁଡ଼ିବା ଦ୍ୱାରା ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି । ଭାରତରେ ଥିବା ସେହିଭଳି କିଛି ବିଷଧର ସାପଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା ।
ଇଣ୍ଡିଆନ କୋବ୍ରା: ଭାରତର ଦେଖାଯାଉଥିବା ଏହି ପ୍ରଜାତିର ସାପ ସବୁଠାରୁ ଅଧିକ ବିଷଧର । ଏହାକୁ ଆମେ ନାଗସାପ ମଧ୍ୟ କହିଥାଉ । ହିନ୍ଦୁ ଧର୍ମରେ ଲୋକମାନେ ନାଗସାପକୁ ପୂଜା କରିଥାନ୍ତି । ଭାରତରେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ପ୍ରଜାତିର ଦେଖିବାକୁ ମିଳିଥାନ୍ତି । ଏହି ସାପ କାମୁଡ଼ିଲେ ମଣିଷକୁ ବଞ୍ଚାଇବା କଷ୍ଟକର ହୋଇଥାଏ । ଗୋଟିଏ ବୟସ୍କ ନାଗ ସାପର ଲମ୍ବ ୧ ମିଟରରୁ ୧.୫ ମିଟର ।
ଇଣ୍ଡିଆନ କ୍ରେଟ: ଭାରତର ବିଷଧର ସାପଙ୍କ ଭିତରେ ଇଣ୍ଡିଆନ କ୍ରେଟ ସାମିଲ ରହିଛି । ଏହି ସାପ ଦଂଶନ କରିବା ଦ୍ୱାରା ଏତେ ପରିମାଣରେ ବିଷ ଛାଡ଼ିଥାଏ ଯେ ସେହି ବିଷ ଦ୍ୱାରା ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇଯିବ । ୧୨ ପ୍ରଜାତି ଓ ୫ ଉପ ପ୍ରଜାତିର ଏହି ବିଷଧର ସାପ ଭାରତରେ ଦେଖିବାକୁ ମିଳେ । ବାର୍ଷିକ ପ୍ରାୟ ୧୦ ହଜାର ଲୋକଙ୍କର ମୃତ୍ୟୁ ଏହି ସାପ କାମୁଡ଼ିବା ଦ୍ୱାରା ହୋଇଥାଏ । ଓଡ଼ିଶାର ଏହି ବିଷଧର ସାପର ନାଁ ହେଉଛି ରଣା ସାପ ।
ରସେଲ ଭାଇପର ବା ବୋଡ଼ା ସାପ: ଏହି ପ୍ରଜାତିର ସାପ ଇଣ୍ଡିଆନ କ୍ରେଟ୍ ସାପଠାରୁ କମ୍ ବିଷଧର । ଏହାର ରଙ୍ଗ ହାଲୁକା ହଳଦିଆ ଓ ଶରୀର ଉପରେ ବୃତ୍ତ ଆକାରର କଳା ଦାଗ ରହିଥାଏ । ଏହି ସାପ ଜୋରରେ ଗର୍ଜନ କରିଥାଏ । ଦଶରୁ କୋଡ଼ିଏ ଫୁଟ ଦୂର ପର୍ଯ୍ୟନ୍ତ ଏହି ସାପର ଗର୍ଜନ ଶୁଭାଯାଇଥାଏ ।
ଇଣ୍ଡିଆନ ଗ୍ରୀନ୍ ପିଟ ଭାଇପର ବା ଲାଉଡଙ୍କ ସାପ: ଟ୍ରି ଭାଇପର ନାମରେ ଏହି ବିଷଧର ସାପ ଭାରତରେ ପରିଚିତ । ଏହି ସାପ ମୁଖ୍ୟତଃ ଚାଳ ଛପର ଓ ବିଭିନ୍ନ ଗଛ କିମ୍ବା ବାଉଁଶ ଗଛରେ ରହିଥାନ୍ତି । ଏହି ସାପ ନିଜକୁ ପୂରା ଗଛ ପତ୍ରର ରଙ୍ଗ ସହ ମିଶାଇ ଦେଇଥାଏ । କୀଟପତଙ୍ଗ, ବେଙ୍ଗ ହେଉଛନ୍ତି ଏହାର ମୁଖ୍ୟ ଆହାର । ଏହି ସାପର ଲମ୍ବ ୨ ରୁ ୨.୫ ଫୁଟ । ଏହି ପ୍ରଜାତିର ବିଷଧର ସାପ ଭାରତର ପଶ୍ଚିମ ଅଞ୍ଚଳରେ ଅଧିକ ଦେଖାଯାଆନ୍ତି ।
କିଙ୍ଗ କୋବ୍ରା ବା ଅହିରାଜ ସାପ: ଅହିରାଜ ସାପ କେବଳ ଭାରତ ନୁହେଁ, ପୂରା ବିଶ୍ୱରେ ଲମ୍ବା ସାପଙ୍କ ମଧ୍ୟରୁ ଅନ୍ୟତମ । ୧୩ ରୁ ୧୫ ଫୁଟ ଲମ୍ବର ହୋଇଥାନ୍ତି ଏହି ଅହିରାଜ ସାପ । ଅନ୍ୟ ସାପଙ୍କ ପରି ଏହି ପ୍ରଜାତିର ସାପ ମଧ୍ୟ ବହୁତ ବିଷଧର । ଏହି ସାପ ଜଙ୍ଗଲ, ସନ୍ତସନ୍ତିଆ ସ୍ଥାନ ଓ ବାଉଁଶ ଜଙ୍ଗଲରେ ଦେଖିବାକୁ ମିଳନ୍ତି ।


