ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି; ପୁଣି ୩୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଗଲା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୩୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୩୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡାଯାଇଛି । ଏକ ସୂଚନାକୁ ଭିତ୍ତି କରି ଆର୍.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉ କରି ଆର୍.ଉଦୟଗିରି ବ୍ଲକର ଶିକାବାଡି ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୭୦.୦୫୬ ଏକରରୁ ଉର୍ଦ୍ଧ୍ୱ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧ ଲକ୍ଷ ୪୦ହଜାର ୧୧୨ଗୋଟି ଉର୍ଦ୍ଧ୍ୱ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ ୧୪.୦୧,୧୨.୦୦୦ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉରେ ନୂଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏ ନେଇ ଆର୍.ଉଦୟଗିରି ଥାନାରେ କେସ ନଂ ୦୫/୨୦ ଏନଡିପିଏସ ଆକ୍ଟର ଧାରା ୨୦(କ)(ଆଇ)ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ସେହିପରି ଏହି ଜିଲ୍ଲାର ମୋହନା ଥାନା କରଚାବାଡି ପଞ୍ଚାୟତର ଲଖାରୀପଟା ଜଙ୍ଗଲରୁ ୮୯.୦୦୫ ଏକରରେ ଚୋରାରେ ଚାଷ କରାଯାଇଥିବା ୧.୭୮,୭୮୦ ଗଛକୁ ନିଆଁ ଲଗାଇ ପୋଡାଯାଇଛି ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇ କହିଛନ୍ତି ଏହାର ଆନୁମାନିକ ମୁଲ୍ୟ ୧୭.୮ କୋଟି ହେବ । ପୋଲିସ,ବନ ବିଭାଗ,ରାଜସ୍ୱ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଚୋରା ଚାଷର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଥିଲା । ଏନେଇ ମୋହନା ଥାନାରେ ୨/୨୦ରେ ମକଦ୍ଦମା ରୁଜୁ ହୋଇଛି । ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏହି ଚଢାଉରେ ମାଜଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏହି ଦୁଇ ଗୋଟି ଚଢାଉରେ ଜଣେ ହେଲେ ଗିରଫ ହୋଇନଥିବା ସୂଚନା ମିଳିଛି ।


