ଚୋରା ଚାଲାଣ ବେଳେ ବିରଳ ପ୍ରାଣୀ ସାଲିଆ ପତନି ସହ ବାଇକ ଜବତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଅଧିନସ୍ଥ ଜକର ଗ୍ରାମ ନିକଟରୁ ବେଆଇନ ଚୋରାଚାଲାଣ କରୁଥିବା ବିରଳ ପ୍ରାଣୀ ସାଲିଆ ପତିନିକୁ ବନବିଭାଗ କର୍ମଚାରୀ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ବନବିଭାଗ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପାଟପୁର ଥାନା ବ୍ରାହ୍ମଣପଙ୍କ ଗ୍ରାମର ପ୍ରକାଶ ମଲିକ , ବିନୋଦ ମଲିକ ଏବଂ କୁନା ନାୟକ । ବୁଧବାର ସନ୍ଧ୍ୟା ପ୍ରାୟ ୭ ଟା ରେ ୩ ଅଭିଯୁକ୍ତ ଏକ ପଲସର ବାଇକ୍ ନଂ. ( ଓ ଆର ୦୭ ୱାଇ ୨୪୮୧) ଯୋଗେ ନିଜ ଗାଁ ରୁ ଏହି ପ୍ରାଣୀଟିକୁ ଧରି ଲକ୍ଷାଧିକ ଟଙ୍କା ମୂଲ୍ୟରେ ବିକ୍ରି ପାଇଁ ଚିକିଟି ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ବନାଞ୍ଚଳ ଚିକିଟି ସେକ୍ସନ ଜକର ବିଟ୍ ର ଜକର ଗ୍ରାମ ନିକଟରେ ବନବିଭାଗ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଗାଡିର ପିଛା କରି ଏହି ବିରଳ ପ୍ରାଣୀ ସାଲିଆ ପତିନି କୁ ଧରିଥିଲେ । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନ୍ନି ଖୋକ୍କର ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଅଟକ ୩ ଅଭିଯୁକ୍ତଙ୍କ ବିରୋଧରେ ବନବିଭାଗ ପକ୍ଷରୁ ମାମଲା ନଂ. ୧୩୦/୨୩-୨୪ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ୍ ଜେଲ ହାଜତକୁ ପଠାଇ ଦିଆଯାଇଛି।ଚୋରା ଚାଲାଣ ରେ ବ୍ୟବହୃତ ବାଇକ୍ କୁ ଜବତ କରାଯାଇଥିବା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ କହିଛନ୍ତି ।