ଚୋରା ବାଲି ଚାଲାଣରେ ରୋକ ଲଗାଇବାକୁ ପ୍ରଶାସନର ଏ ପଛଘୁଞ୍ଚା କାହିଁକି
ହାଟଡିହି, (ଓ୍ବାଇଏନ୍ଏସ୍) : ଗାଁ ଗାଁରେ ଚାଲିଛି ବାଲି ଚୋରା ଚାଲାଣ । ପ୍ରତିଦ୍ୱନ୍ଦିତା ଭିତ୍ତିରେ ହେଉଛି ବାଲି ଉତ୍ତୋଳନ । ଏôତରେ ମୋଟା ଅଙ୍କର ଲାଭ ହେଉଥିବାରୁ ଯେ ଯେଉଁଠି ପାରିଲା ତାଡିଲା । ରୋକିବାକୁ କେହି ନାହିଁ । ଯଦିବା କିଏ ପ୍ରତିବାଦ କରୁଛି ତାକୁ ନାଲି ଆଖି ଦେଖାଇ ବାଲି ମାଫିଆ ମାନେ ଭୟଭୀତ କରାଉଛନ୍ତି । ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରିଚାଲିଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନରେ ଥିବା ଡିମିରିଆ, ଜମ୍ଭରା, ରାଘବପୁର, ସମଣା, ବାଲିପଦା ପ୍ରଭୃତି ବୈତରଣୀ ନଦୀର ବାଲିଘାଟ ମାନଙ୍କରେ । କିଛି କିଛି ଗାଁ ଲୋକ ଏକଯୁଟ ହୋଇ ଏହି ବାଲି ଉତ୍ତୋଳନ କରୁଛନ୍ତି । ବିଶେଷକରି ମଥୁରାପୁର ବୈତରଣୀ ନଦୀର ପୋଲତଳୁ ଡିମିରିଆ, ଶାଳବଣୀ, ଜମ୍ଭରା ଲୋକମାନେ ବେଆଇନି ଭାବେ ବାଲି ଉତ୍ତୋଳନ କରୁଥିବାରୁ ପୋଲଟି ଦିନକୁ ଦିନ ଦୁର୍ବଳ ହୋଇପଡୁଛି । କିନ୍ତୁ ମାଫିଆମାନେ ଭଲ ଦିପଇସା ପାଉଥିବାରୁ କାହାକୁ ଖାତିର ନକରି ଦିନକୁ ଶହଶହ ଟ୍ରିପ ବାଲି ଉତ୍ତୋଳନ କରୁଛନ୍ତି । ଏତେ ପରିମାଣର ବାଲି କିପରି ବିକିବେ ସେନେଇ ଏକ ଅଭିନବ ଉପାୟ ବି ଅବଲମ୍ବନ କରିଛନ୍ତି । ସେମାନେ ଟ୍ରାକ୍ଟର ଦ୍ୱାରା ବାଲିସବୁକୁ ଷଡଙ୍ଗ କଲେଜ ପାଖକୁ ବୋହି ଆଣିବାପରେ ସେଠାରେ ରାସ୍ତା ଉପରେ ଢ଼ାଳି ପରେ ତାହାକୁ ମେସିନି ସାହାଯ୍ୟରେ ହାଇୱା ଗୁଡିକୁ ଲୋଡ ଦେଇ ଭଦ୍ରକ ଅଞ୍ଚଳକୁ ବାଲି ପରିବହନ କରାଇବାରେ ସଫଳ ହେଉଛନ୍ତି । ଆଜି ସର୍ଟଡାଉନ ସମୟରେ ବି ସେଠାରେ ଶହଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ନଦୀରେ ପାଣି ଆସିଥିବାରୁ ବାଲିଘାଟରୁ ହାଇୱା ଯୋଗେ ବାଲି ଆଣିବାରେ ଏବେ ବିଳମ୍ବ ହେଉଥିବାରୁ ଏଠାରୁ ସହଜରେ ବାଲି ନେବାପାଇଁ ହାଇୱା ଗୁଡିକ ଧାଡି ଲମ୍ବାଇଛନ୍ତି । ଗୋଟିଏ ଗୋଟିଏ ହାଇୱା ପିଛା ଦୁଇହଜାରରୁ ଉର୍ଦ୍ଧ ଲାଭ ରହୁଥିବାରୁ ମାଫିଆମାନେ ଏହାକୁ ଏକ ଭଲ ବ୍ୟବସାୟ ବୋଲି ବାଛିନେଇଛନ୍ତି । ସେହିପରି ସମଣା ଘାଟରୁ ମଧ୍ୟ ସମାନ ଢ଼ଙ୍ଗରେ ବାଲି ଉତ୍ତୋଳନ କରିଆଣି ବରାଙ୍ଗ ଛକ, ଚାପୁଣ୍ଡିଆ, ଦୁଡୁଙ୍ଗାଁ ନିକଟରେ ଥିବା ପଡିଆ ମାନଙ୍କରେ ବାଲିସବୁକୁ ଡମ୍ପକରି ରାତିରେ ହାଇୱା ଯୋଗେ ବାହାରକୁ ଚୋରା ଚାଲାଣ କରୁଛନ୍ତି । ହାବଳେଶ୍ୱର ଡିମିରିଆ ରାସ୍ତାର ଅନେକ ସ୍ଥାନରେ ଶହଶହ ଟ୍ରିପ ବାଲି ଗଚ୍ଛିତ କରି ରଖାଯାଇଥିଲେ ମଧ୍ୟ ତହସିଲ କର୍ତ୍ତୁପକ୍ଷ ଏହାକୁ ଜବଦ ମଧ୍ୟ କରୁ ନାହାନ୍ତି । ଏତେ ସଂଖ୍ୟକ ବାଲିଗାଡି ଚଳାଚଳ ଯୋଗୁଁ ସାଧାରଣ ଲୋକମାନେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭିନ୍ନ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବାପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ବିଭାଗୀୟ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଟୁଇଟ କରି ତୁରନ୍ତ ପଦକ୍ଷେପ ନେବାକୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଥିରେ ତହସିଲର କିଛି କର୍ମଚାରୀ ସଂପୃକ୍ତ ଥିବାନେଇ ମଧ୍ୟ ଅଭିଯୋଗ ହେଉଛି । ଆନନ୍ଦପୁର ଭଦ୍ରକ ରାସ୍ତାରେ ଯାଉଥିବା ବାଲି ଟ୍ରାକ୍ଟରଟିଏ ଧରିଦେଇ ତହସିଲ କର୍ତ୍ତୁପକ୍ଷ ୨୦/୨୫ହଜାର ଫାଇନ କାଟି ବାହାବା ନେଉଥିବାବେଳେ ଏଠାରେ ଦିନକୁ ଲକ୍ଷଲକ୍ଷ ଟଙ୍କାର ବାଲି ଚୋରା ଚାଲାଣକୁ ରୋକିବାରେ କିଏ ପ୍ରତିବନ୍ଧକ ସାଜିଛି ତାହାକୁନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଧରପଗଡ ଚାଲିଥିବା ବେଳେ ହାଟଡିହି ତହସିଲ କର୍ତ୍ତୁପକ୍ଷ କଣ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯେହେତୁ ତହସିଲ ଠାରୁ ଏହି ବାଲିଘାଟ ଗୁଡିକର ଦୁରତା ୨୦କିଲୋମିଟରରୁ ଅଧିକ ହେଉଛି ତେଣୁ ସହଜରେ ବାଲି ମାଫିଆମାନେ ରାସ୍ତାରେ ଲୋକ ଜଗାଇ ସେମାନଙ୍କ ଚୋରାବାଲି କାରବାରକୁ ସହଜ କରିପାରିଛନ୍ତି । ଏ ସମ୍ପର୍କରେ ହାଟଡିହି ତହସିଲର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କୁ ପଚାରିବାରେ ସେ ସୈରାତ କଥା ବୁଝୁ ନାହାନ୍ତି କହିବା ସହ ଆମେ ଯେତେବେଳେ ବି ଚଢ଼ାଉ କରିବାକୁ ଯାଉଛୁ ସେମାନେ ପୁର୍ବରୁ ଖବରପାଇ ଟ୍ରାକ୍ଟର ସହ ପଳାଉଛନ୍ତି ବୋଲି କହିଛନ୍ତି । ତଥାପି ଦୁଇତିନି ଦିନ ଭିତରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । କିନ୍ତୁ ତହସିଲ କର୍ତ୍ତୁପକ୍ଷ ଏହି ବାଲି ମାଫିଆ ମାନଙ୍କ ବିରୁଦ୍ଧରେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ ।