ଚୋରା ଲୁହାପଥର ଚାଲାଣ;୨ ଟ୍ରକ ଜବତ, ୪ ଗିରଫ

ଯୋଡା,(ସମୀର କୁମାର ଦାସ): ଚୋରା ଲୁହାପଥର ଚାଲାଣ ହେଉଥିବା ବେଳେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଧାତିକା ଛକଠାରେ ପୋଲିସ ଚଢାଉ କରି ୨ ଟି ଚୋରା ଲୁହା ପଥର ବୋଝେଇ ଟ୍ରକ ଜବତ କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସର ସୂଚନାନୁଯାୟୀ , ମଙ୍ଗଳବାର ବିଳମ୍ବିତ ରାତିରେ କାଳିମାଟି ଅଂଚଳର ଏକ ଖଣିରୁ ରାଜସ୍ଥାନ ରାଜ୍ୟର ଟ୍ରକ ଡ୍ରାଇଭର ଛୋଟୁଲାଲ ଗୁଜର ଓ ହେମରାଜ ମୀନା ଦୁଇଟି ଟ୍ରକ ନଂ ଆରଜେ ୧୭ ଜିଏ ୬୯୦୮ ଓ ଆରଜେ ୨୦ ଜି ୫୪୮୫ ରେ ଚୋରା ଲୁହାପଥର ବୋଝେଇ କରି ଛତିଶଗଡ ରାଜ୍ୟକୁ ଚୋରା ଚାଲାଣ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଅନ୍ୟ ୨ ଅଭିଯୁକ୍ତ ଯାଜପୁର ଜିଲାର ଯଦୁମଣି ମହାନ୍ତ ଓ ଘସିପୁରା ଅଂଚଳର କାବୁଲା ପାତ୍ର ଏକ ପିକଅପ ଭ୍ୟାନ୍ ମାଧ୍ୟମରେ ଆଗେ ଆଗେ ଯାଇ ଏହି ଚୋରା ଚାଲାଣକୁ ସୁରକ୍ଷା ଦେଉଥିଲେ । ମାତ୍ର ଏହି ଚୋରା ଚାଲାଣ ହେଉଥିବା ନେଇ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଧାତିକା ଛକଠାରେ ଚଢାଉ କରି ଉକ୍ତ ୨ ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ କରିବା ସହିତ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ବାମେବାରୀ ଥାନାରେ କେଶ୍ ନଂ ୧୦୫/୨୦୨୦ ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ପୋଲିସ ଜାଂଚ କରିବା ପରେ ଉକ୍ତ ୨ ଟ୍ରକରେ ଟ୍ରାନଜିଟ୍ ପାସ ନଥିବା ଜାଣିବାକୁ ପାଇଥିବା ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତାବ ଦାସ ସୂଚନା ଦେଇଛନ୍ତି । ତେବେ ସୂଚନା ଯୋଗ୍ୟ ଯେ, ୧ ସପ୍ତାହ ମଧ୍ୟରେ ୩ ଟି ଚୋରା ଖଣିଜ ବୋଝେଇ ଟ୍ରକକୁ ପୋଲିସ ଜବତ କରିଥିବା ବେଳେ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶାଳୟର ଟ୍ୟାସ୍କ ଫୋର୍ସ ଚୋରା ଖଣିଜ କାରବାରର ଟେର ପାଉନାହାନ୍ତି । ସରକାରୀ ଖଣି କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ସିଧାସଳଖ ଏହି ଚୋରା ଖଣିଜ କାରବାରରେ ଲିପ୍ତ ଥିବା ମଧ୍ୟ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ