ଚୋରା ଲୁହା ପଥର ବୋଝେଇ ଟ୍ରକ ଜବତ
ଯୋଡା, (ସମୀର କୁମାର ଦାସ):ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡିଠାରେ ଏକ ଚୋରା ଲୁହା ପଥର ବୋଝେଇ ଟ୍ରକକୁ ପୋଲିସ ଜବତ କରିିଛି । ବାମେବାରୀ ଥାନା ଆଇଆଇସି ରାଜେନ୍ଦ୍ର କୁମାର ସ୍ୱାଇଁ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜୁରୁଡି ହାଟପଦାଠାରେ ଉନ୍ନତମାନର ଚୋରା ଲୁହା ପଥର ବୋଝେଇ ହେଉଥିବା ସୂତ୍ରରୁ ଖବର ପାଇ ଚୋଢାଉ କରିଥିଲା । ଟ୍ରକ ନଂ ସିଜି୦୭ଏଏକ୍ସ ୨୯୪୩ ରେ ପ୍ରାୟ ୨୦ ମେଟ୍ରିକ ଟନ ଚୋରା ଲୁହା ପଥର ବୋଝେଇ ହୋଇଥିବା ଟ୍ରକକୁ ପୋଲିସ ଜବତ କରିଥିଲା । ଅନ୍ଧାରର ସୁଯୋଗ ନେଇ ଡ୍ରାଇଭର, ହେଲପର ଓ ଚୋରମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ । ଜବତ ହୋଇଥିବା ୨୦ ମେଟ୍ରିକ ଟନ ଲୁହା ପଥରର ଅନୁମାନିକ ବଜାର ମୂଲ୍ୟ ୧ଲକ୍ଷ ୨୦ହଜାର ଟଙ୍କା ହେବ । ଚୋରା ଖଣିଜ କାରବାର ଯୋଡା ଖଣି ମଣ୍ଡଳରେ ଏକ କୂଟୀର ଶିଳ୍ପ ଭାବେ ମୁଣ୍ଡ ଟେକିଲାଣି । ଗତ ମାସକ ମଧ୍ୟରେ ଏକ ଡର୍ଜନରୁ ଅଧିକ ଟ୍ରକ ବନ ବିଭାଗ ଓ ପୋଲିସ ପ୍ରଶାସନ ଜବତ କଲାଣି । ତଥାପି ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ନୀରବ ଦ୍ରଷ୍ଟା ସାଜିଛି ।