ଚୋରି ପିକ୍ଅପ ଭ୍ୟାନ୍ ଉଦ୍ଧାର, ୪ ଗିରଫ
ଯୋଡା, (ଯୁଗାଦ୍ଦ) କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ, ଚୋରମାନେ ଏହାର ଫାଇଦା ପାଇବା ଉଠାଇବା ପାଇଁ ଅଧିକ ସକ୍ରିୟ ହୋଇପଡିଛନ୍ତି । କେନ୍ଦୁଝର ଜିଲା ଯୋଡା ପୋଲିସ ଗୁରୁବାର ଚୋରୀ ହୋଇଥିବା ଏକ ପିକଅପ୍ ଭ୍ୟାନ୍ କୁ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସର ସୂଚନାନୁଯାୟୀ, ଗତ ମେ ମାସ ୭ ତାରିଖ ଦିନ ଯୋଡା ସହରର ହୁଡି ସାହିଠାରୁ ଏକ ପିକଅପ ଭ୍ୟାନ୍ ନଂ ଓଆର ୧୧ସି ୧୫୧୯ ଚୋରି ହୋଇଥିବା ନେଇ ଗାଡିର ମାଲିକ ସଂଜୟ ଗୁପ୍ତା ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଯୋଡା ପୋଲିସ ଛାନଭିନ୍ କରି ଚୋରି ହୋଇଥିବା ପିକଅପ ଭ୍ୟାନ୍ କୁ ଉଦ୍ଧାର କରିବା ସହିତ ୪ ଜଣ ଙ୍କୁ ଗିରଫ କରିଛି । ଗିରଫ ୪ ଅଭିଯୁକ୍ତ ହେଲେ ହୁଡିସାହିର ପି. ମହାକୁଡ, କୁନ୍ଦୁରୁନାଲାର ବାପି ପାତ୍ର, ହୁଡିସାହିର ବଲବାବୁ, ଯୋଡା ବସ୍ଷ୍ଟାଣ୍ଡର ଚନ୍ଦ୍ରଶେଖର ପ୍ରଧାନ । ସୂଚନାଯୋଗ୍ୟ ଯେ, ଗତ ୪ ମାସ ହେବ ସଂଜୟ ଗୁପ୍ତା ହୁଡିସାହିର ବରଣ ପଲେଇଙ୍କ ଘରେ ଭଡାରେ ରହିଆସୁଥିଲେ । ତେବେ ଲକଡାଉନ୍ ଘୋଷଣା ହେବାରୁ ସଂଜୟ ଗୁପ୍ତା ନିଜ ପିକ୍ଅପ ଭ୍ୟାନ୍ କୁ ଏକ ଗଛ ମୂଳେ ରଖି ନିଜ ଗ୍ରାମ ଜାମସେଦପୁର ଚାଲିଯାଇଥିଲେ । ଗତ ମେ ୭ ତାରିଖ ଦିନ ଘର ମାଲିକଙ୍କ ପୁଅ ଗଛ ତଳେ ଗାଡିଟି ନଥିବା ସଂଜୟ ଗୁପ୍ତାଙ୍କୁ ଖବର ଦେଇଥିଲେ । ସଂଜୟ ଗୁପ୍ତା ଯୋଡା ଆସି ବହୁ ଖୋଜାଖୋଜି ପରେ ଗାଡିଟିକୁ ନପାଇବାରୁ ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚୋରମାନେ ଉକ୍ତ ଭ୍ୟାନ୍ ଟିକୁ ନେଇ ବିଛାକୁଣ୍ଡି ରାସ୍ତା ଦେଇ ରୁଗୁଡି ଯାଉଥିବା ବେଳେ କୁନ୍ଦୁରୁପାଣି ନିକଟସ୍ଥ ଜଙ୍ଗଲରେ ଗାଡିିଟି ଖରାପ ହେବାରୁ ଚୋରମାନେ ଗାଡିଟିକୁ ସେଠାରେ ଲୁଚାଇ ଚାଲିଯାଇଥିଲେ । ଜଙ୍ଗଲକୁ କାଠ ସଂଗ୍ରହ କରିବା ପାଇଁ ଯାଇଥିବା ଲୋକେ ଗାଡିଟିକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ । ତେବେ ରୁଗୁଡି ପୋଲିସ ଏକ ପିକଅପ ଭ୍ୟାନ୍ ଗାଡି ଜଙ୍ଗଲରେ ଥିବା ଯୋଡା ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳକୁ ଯାଇ ଗାଡିଟିକୁ ଉଦ୍ଧାର କରିଥିଲେ । ଏନେଇ ଯୋଡା ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ କରି ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।