ଚୌଦ୍ୱାରରେ ଗୋରୁ ଚାଲାଣ ରାକେଟ ର ପର୍ଦ୍ଧାଫାଶ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ପୋଲିସ କୁ ମିଳିଛି ବଡ ସଫଳତା ।ଏକ ବେଆଇନି ଗୋରୁ ଚାଲାଣ ରାକେଟ କୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।ଚୌଦ୍ୱାର ଥାନା ଅନ୍ତର୍ଗତ ପୌରପାଳିକା ର ଦୁଇ ନମ୍ବର ୱାର୍ଡ ସୁଲତାନ ନଗର ଏହି ବେଆଇନି ଗୋରୁଚାଲାଣ ର କେନ୍ଦ୍ର ପାଲଟିଥିବାର ସୂଚନା ପାଇ ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ କଡା ନଜର ରଖିଥିଲେ । ଗୁରୁବାର ରାତିରେ ସେଠାରୁ ଭଦ୍ରକ ଓ ବାଲେଶ୍ୱର କୁ ଗୋରୁ ଚାଲାଣ ହେବାର ସୂଚନା ପାଇ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ସେଠାରେ ଗୋରୁ ଚାଲାଣ ପାଇଁ ଦୁଇଟି ଭଦ୍ରକ ଅଂଚଳର ପିକ ଅପ ଗାଡି ପ୍ରସ୍ତୁତ ଥିବାସହ ୩୦ରୁ ଅଧିକ ଗୋରୁ ଚାଲାଣ ପାଇଁ ରଖାଯାଇଥିବାର ଦେଖିଥିଲେ। ଦୁଇଟି ଯାକ ଗାଡି ସହ ଗୋରୁ ଗୁଡିକୁ ଜବତ କରିବା ସହ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ସୁଲତାନନଗର ର କିଛି ଯୁବକ ଏହି କାରବାର ସହ ସମ୍ପୃକ୍ତ ଥିବା ଜଣାପଡିଛି। ସେମାନେ ବିଭିନ୍ନ ସ୍ଥାନରୁ ଗୋରୁ ଗୁଡିକୁ ସଂଗ୍ରହ କରି ଏଠାରେ ରଖିଥାନ୍ତି ।ପରେ ସୁଯୋଗ ଦେଖି ସେଗୁଡିକୁ ଭଦ୍ରକ, ବାଲେଶ୍ୱର ଓ କଲିକତା ଚାଲାଣ କରିଥାନ୍ତି । ଜବତ ଗୋରୁ ମାନଙ୍କୁ ମଙ୍ଗରାଜପୁର ସ୍ଥିତ ଗୋଶାଳାକୁ ପଠାଯାଉଥିବା ଜଣାପଡିଛି। ତଦନ୍ତ ଚାଲୁଥିବାରୁ ଏସମ୍ପର୍କରେ ପୋଲିସ କୌଣସି ସୂଚନା ପ୍ରଦାନ କରିନି ।