ଛଅ ବର୍ଷ ଝିଅ ଏବଂ ଏକ ମାସର ଶିଶୁ କନ୍ୟାକୁ ଚେଙ୍କ ଚିକିତ୍ସା-ସଚେତନତା କାର୍ଯ୍ୟକ୍ରମ ବାଟବଣା

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲାରେ ସଚେତନତା ଅଭାବରୁ ଗ୍ରାମାଞ୍ଚଳରେ ଚେଙ୍କ ଚିକିତ୍ସା ଜାରି ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚେଙ୍କ ଚିକିତ୍ସା କୁ ନେଇ ସଚେତନତା କରାଯାଉଥିବା କୁହାଯାଉଥିବାବେଳେ ପୁଣି ଚେଙ୍କ ଚିକିତ୍ସା ସାମନାକୁ ଆସିଛି । ଦୁଇଦିନରେ ଦୁଇଟି ଚେଙ୍କ ଦିଆଯାଇଥିବା ଶିଶୁ ମାନଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗତକାଲି ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରୁ ଜଣେ ଶିଶୁକୁ ଚେଙ୍କ ଦେବାପରେ ସେ ଗୁରୁତର ହେବାରୁ ତାକୁ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ଆଉଜଣେ ରାଇଘର ବ୍ଲକ ଅଂଚଳର ୬ ବର୍ଷର ଶିଶୁକନ୍ୟା ଗୁରୁତର ହୋଇ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛି। ସ୍ୱାସ୍ଥ୍ୟବିଭାଗ ଗ୍ରାମାଞ୍ଚଳ ଗୁଡିକରେ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ମୁଁହା କରାଇବାରେ ବିଫଳ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି। ଛୋଟ ଛୋଟ ଶିଶୁ ମାନକୁ ଥଣ୍ଡା କାଶ ଏବଂ ପେଟବ୍ୟଥା ହେଲେ ଗାଁ ଗୁଡିକରେ ଡାକ୍ତରଖାନା ନେବା ବଦଳରେ ଲୋକେ ପ୍ରଥମେ ଦିଶାରୀ ଗୁଣିଆ ଙ୍କ ପାଖକୁ ନେଉଥିବା ନଜିର ରହିଛି । ତେବେ ଗତବର୍ଷ ମାନଙ୍କରେ ଏଭଳି ଘଟଣା ଅଧିକ ମାତ୍ରାରେ ଦେଖାଯିବା ପରେ ଜିଲ୍ଲା ପ୍ରଶାସନ ଜ୍ୟୋତି ନାମକ ଏକ ସଚେତନତା କାର୍ଯ୍ୟକ୍ରମ ତତ୍କାଳୀନ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ସମୟରେ ଆରମ୍ଭ ହୋଇଥିଲା । ତେବେ ଏହି ସଚେତନତା କାର୍ଯ୍ୟକ୍ରମ ଫଳରେ କିଛି ମାତ୍ରାରେ ଚେଙ୍କ ଚିକିତ୍ସା କମିଥିବା ବେଳେ ବର୍ତ୍ତମାନ ସଚେତନତା ଅଭାବରୁ ପୁଣିଥରେ ଚେଙ୍କ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି। ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳରୁ ଜଣେ ଏକ ମାସର ଶିଶୁ କୁ ଚେଙ୍କ ଦେବାପରେ ସେ ଗୁରୁତର ହେବାରୁ ପ୍ରଥମେ ଉମରକୋଟ ମେଡିକାଲ ରେ ଭର୍ତି କରାଇ ଚିକିତ୍ସା କରିଥିଲେ ଏବଂ ପରେ ତାକୁ ନବରଙ୍ଗପୁର ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ସେ ଶିଶୁ ଟି ନିମୋନିଆ ରୋଗରେ ପୀଡ଼ିତ ଅଛି ବୋଲି ଜଣାପଡିଛି। ଶିଶୁଟିର ଦେହରେ ଅଧିକ ମାତ୍ରାରେ ଚେଙ୍କ ଦେବାପରେ ସେ ଗୁରୁତର ହେବାରୁ ପରିବାର ଲୋକେ ମେଡିକାଲ କୁ ନେଇଥିଲେ । ସେପରି ରାଇଘର ବ୍ଲକ ନାକଟିସିମିଡା ଗ୍ରାମର ୬ ବର୍ଷର ଝିଅକୁ ଚେଙ୍କ ଚିକିତ୍ସା କରିବା ପରେ ଗୁରୁତର ହେବାରୁ ଜିଲ୍ଲା ମେଡିକାଲ ରେ ଭର୍ତି କରିଛନ୍ତି ପରିବାର ଲୋକେ । ଝିଅଟିକୁ ଦୀର୍ଘ ଦିନ ହେଲା ପେଟ ବଥା ହେଉଥିବା ବେଳେ ପରିବାର ତରଫରୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଦେହ ଭଲ ନହେବାରୁ ପୋଡ଼ଶୀ ଛତିଶଗଡ଼ ଅଞ୍ଚଳ ର କୋଣ୍ଡାଗାଁ କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରୁ ମଧ୍ୟ କୌଣସି ସୁଫଳ ମିଳିନଥିଲା ଏହାପରେ ପରିବାର ଲୋକେ ଚେଙ୍କ ଚିକିତ୍ସା କରାଇଥିଲେ। ତେବେ ଗତ ୧୫ ଦିନ ତଳେ ଝିଅଟିକୁ ଚେଙ୍କ ଦିଆଯାଇଥିବା ଜଣାପଡିଛି। ଚେଙ୍କ ଦେବାପରେ ମଧ୍ୟ ଦେହ ଭଲ ହୋଇନଥିବାବେଳେ ତାର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଏହାପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ପରିବାର ଲୋକେ। ତେବେ ଝିଅଟିକୁ କିଏ ଚେଙ୍କ ଦେଇଛି ସେ ବିଷୟରେ ମୁହଁ ଖୋଲୁନାହାନ୍ତି ପରିବାର ସଦସ୍ୟ। ବର୍ତ୍ତମାନ ଝିଅଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଚିକିତ୍ସା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ସଚେତନତା ଅଭାବରୁ ଏପରି ଚେଙ୍କ ଚିକିତ୍ସା କରିଥିବା କହିଛନ୍ତି ଡ଼ଃ ସନ୍ତୋଷ କୁମାର ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ