ଛତ୍ରପୁର ଉପଖଣ୍ଡରେ ଅଗଷ୍ଟ ୧୫ରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା
ଛତ୍ରପୁର,(ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ୮୧ ପ୍ରତିଶତ ଲୋକ କରୋନାରୁ ସୁସ୍ଥ ହେବା ସହ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧.୦୪ ପ୍ରତିଶତଙ୍କ ମୃତ୍ୟୁ ହୋଇଛି । ଗତ ସପ୍ତାହ ମଧ୍ୟରେ ଉପଖଣ୍ଡରେ ଟେଷ୍ଟିଂ ହାର ବୃଦ୍ଧି କରାଯାଇଥିବା ବେଳେ ପଜିଟିଭ୍ ସଂଖ୍ୟା କମ୍ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ଉପଖଣ୍ଡରେ କୋଭିଡ୍ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଟେଷ୍ଟିଂକୁ ବୃଦ୍ଧି ଓ ଚଢଉ କଡାକଡି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ସଂକ୍ରାନ୍ତରେ ଶୁକ୍ରବାର ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ୍ ପାଟୱାରି କହିଛନ୍ତି ।ଛତ୍ରପୁର ଉପଖଣ୍ଡରେ ଆଜି ସୁଦ୍ଧା ୪୧୭ ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୩୯୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୨୩ କୋଭିଡ୍ ଯୋଦ୍ଧାଙ୍କ ସମେତ ୩୨୨୫ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୮୮ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୬୬୫ ଜଣ ଆକ୍ଟିଭ୍ କେସ ରହିଥିବା ବେଳେ ୬ଜଣ କୋଭିଡ୍ ଯୋଦ୍ଧାଙ୍କ ସମେତ ୪୧ଜଣଙ୍କ ମୃତ୍ୟୁ ଘଟିଛି । ଗଲା ସପ୍ତାହ ମଧ୍ୟରେ ଉପଖଣ୍ଡରେ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାବ୍ ଓ ଆଣ୍ଟିଜେନ୍ ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବା ବେଳେ ମାତ୍ର ୪୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୪ ଜଣ କୋଭିଡ୍ ଯୋଦ୍ଧା ରହିଛନ୍ତି । କିନ୍ତୁ ଏହି ସପ୍ତାହ ମଧ୍ୟରେ କରୋନାରେ କେହି ମୃତ୍ୟୁ ହୋଇନାହାନ୍ତି । ଉପଖଣ୍ଡର କରୋନା ରୋଗୀମାନଙ୍କ ନିକଟକୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ ସହ ଡାକ୍ତରମାନେ କଲ୍ କରି ଏବଂ ଦିନେ ଛଡା ଦିନେ ଜୁମ୍ ଭିସି ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଥିବା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପଖଣ୍ଡରେ ଏବେ ସୁଦ୍ଧା କରୋନା ରୋଗୀଙ୍କ ନିକଟକୁ ୧୩ ହଜାର ୪୬୩ କଲ୍ ଗଲାଣି । ଏଥିସହ କରୋନାରୁ ସୁସ୍ଥ ୮୧ଜଣ କୋଭିଡ୍ ବନ୍ଧୁ ମଧ୍ୟ କରୋନା ରୋଗୀମାନଙ୍କୁ କାଉନସିଲିଂ କରୁଛନ୍ତି । କୋଭିଡ୍ ମନିଟର ମଧ୍ୟ ପରିଚାଳନାରେ ସହଯୋଗ କରୁଛନ୍ତି । କରୋନାରେ ଛତ୍ରପୁର ଉପଖଣ୍ଡରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଉପଖଣ୍ଡରେ ୭୪୧ ଗାଁ (୭୮ ପ୍ରତିଶତ) ଓ ସହରାଞ୍ଚଳର ୬୯ଟି ୱାର୍ଡ (୫୧ ପ୍ରତିଶତ) ଗ୍ରୀନ୍ ଜୋନ୍ରେ ରହିଛି । କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର ଓ ଛତ୍ରପୁରରେ ୩ଟି ଲେଖାଁଏ ଏବଂ ହିଞ୍ଜିଳିରେ ୨ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ରେ ଅଛି । ଏହି ଉପଖଣ୍ଡ ଅଧୀନ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ଶନିବାରଠାରୁ ଯୋଗାଇ ଦିଆଯିବ । ଫଳରେ ଲୋକେ ଘର ନିକଟରେ ସ୍ୱାସ୍ଥ୍ୟସେବା ପାଇପାରିବେ । ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ ସହ ଔଷଧ ଆଦି ମିଳିବ । ଉକ୍ତ ମୋବାଇଲ୍ ଗାଡି ୧୫ରୁ ୧୭ ପର୍ଯ୍ୟନ୍ତ ଛତ୍ରପୁରରେ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ରହିଥିବା ବେଳେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ, ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ, ୨୪ରୁ ୨୬ ପର୍ଯ୍ୟନ୍ତ ହିଞ୍ଜିଳି, ୨୭ରୁ ୨୯ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର, ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ପୋଲସରା, ସେପ୍ଟେମ୍ବର ୨ରୁ ୪ ପର୍ଯ୍ୟନ୍ତ ବେଗୁନିଆପଡା ଏବଂ ୫ରୁ ୭ ତାରିଖ ପର୍ଯ୍ୟନ୍ତ କବିସୂର୍ଯ୍ୟନଗର ଅଞ୍ଚଳରେ ପୂର୍ବହାନ୍ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବୁଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସସନ୍ ଅଫିସର ପ୍ରଶାନ୍ତ କୁମାର ଶତପଥୀ ଉପସ୍ଥିତ ଥିଲେ ।