ଛତ୍ରପୁର ଓ ବ୍ରହ୍ମପୁରରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଚଳିତ ମାସ ୧୮ ଏବଂ ୧୯ ତାରିଖ ଦୁଇଦିନ ଧରି ସପ-ଫେଷ୍ଟ ତଥା ପଲ୍ଲୀଶ୍ରୀ ମେଳା ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାସହିତ ବ୍ରହ୍ମପୁର ସ୍ଥିତ ଖଲିକୋଟ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ୨୦ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ପଲ୍ଲିଶ୍ରୀ ମେଳା ଓ ଗ୍ରାମାଚଂଳରେ କୃଷିର ରୂପାନ୍ତର (ତାରା) ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କହିଥିଲେ ଯେ କରୋନା ସମୟରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ବହୁ ପରିଶ୍ରମ କରି ନିଜ ହସ୍ତରେ ଅନେକ କଳାକୃତୀ ଠାରୁ ଆରମ୍ଭ କରି ଘରୋଇ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଯାହାର ବିକ୍ରିବଟା ନିମନ୍ତେ ପଲ୍ଲିଶ୍ରୀ ମେଳା ସହାୟକ ହେବ । ଦ୍ୱିତୀୟତ ଏହି ମେଳାରେ ପ୍ରଦର୍ଶିତ ସାମଗ୍ରୀ ଲୋକେ ପ୍ରଦର୍ଶନ କରିବା ସହିତ କିଣି ନେଇପାରିବେ । ସଂନ୍ଧ୍ୟାରେ ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ହେବ । କଳାକାର ଗଣ ସେମାନଙ୍କ କଳାର ପ୍ରଦର୍ଶନ କରିବେ । କଳା ପ୍ରେମୀ ଦର୍ଶକଙ୍କ ସକାଶେ ଏହା ମନୋରଂଜନର ମାଧ୍ୟମ ହେବ । ଓରମାସ ଏବଂ ଜିଲ୍ଲାପ୍ରଶାସନର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ମେଳାରେ ବିଶେଷତଃ ଭାବେ ମିଶନ ଶକ୍ତିର ମା ମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ସକାଶେ ଉତ୍ତମ ହାଟର ବ୍ୟବସ୍ଥା ହେଉଛି । ମହିଳା ସ୍ୱଂୟ ସାହାୟିକା ଗୋଷ୍ଠୀ ଏବଂ କାରିଗର ମାନେ ସେମାନଙ୍କର ଉତ୍ପାଦନର ବିକ୍ରୟ ଏବଂ ପ୍ରଦର୍ଶନ କରିବେ । ପ୍ରଦର୍ଶନୀରେ ପରିଦର୍ଶକ ମାନଙ୍କୁ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ , କାରିଗର ଗଣ ସେମାନଙ୍କର ବିଚକ୍ଷଣ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ୫୦ଗୋଟି ଷ୍ଟଲରେ ବିକ୍ରି କରିବା ସହିତ ସେମାନେ ଉପଭୋକ୍ତା ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ କରିପାରିବେ ଏବଂ ଗ୍ରାହକ ମାନଙ୍କର ପସନ୍ଦ ଓ ଅପସନ୍ଦ ଜାଣିବାର ସୁଯୋଗ ପାଇବେ । ବିକ୍ରିବଟା ହେବା ଫଳରେ ଆର୍ଥିକ ସଶକ୍ତିରଣ କୁ ମଜବୁତ କରିହେବ । ଏହି ମେଳାରେ ଗଂଜାମ ଜିଲ୍ଲାର ସାଂସ୍କୃତିକ ଐତିହ୍ୟ ମଧ୍ୟ ପ୍ରଦର୍ଶିତ ହେବ । ଛତ୍ରପୁର ଠାରେ ୧୮ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା , ଆଶୁତୋଷ ମହାନ୍ତି, ସତ୍ୟଜିତ୍ ପ୍ରଧାନ ଏବଂ ୧୯ ତାରିଖ ଦିନ ଇଣ୍ଡିଆନ ଆଇଡଲ ବିଜେତା ସୁନାମଧନ୍ୟ କଣ୍ଠଶିଳ୍ପୀ ସଲମନ ଅଲି ସେମାନଙ୍କର କଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତା ସହିତ ସ୍ଥାନୀୟ କଳାକାର ଗଣ ମଧ୍ୟ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।ବ୍ରହ୍ମପୁର ଠାରେ ଚଳିତ ମାସ ୨୦ତାରିଖ ଠାରୁ ୨୪ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ମେଳାରେ ପିତ୍ତଳ ଧାତୁ ମାଛ,ଷ୍ଟୋ କ୍ରାଫ୍ଟ୍ , ଫୋଟଚିତ୍ର, କାଠ ଶିଳ୍ପ , ହେଡଲୁମ , ଖାଦ୍ୟ ପ୍ରକ୍ରୀୟାକରଣ , ଧୂପକାଠି ତିଆରି ଉପରେ ଜିବନ୍ତ ପ୍ରଦର୍ଶନ ପ୍ରଦର୍ଶନୀ ମାଧ୍ୟମରେ ହେବ । ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା କର୍ମଶାଳା , ଉତ୍ପାଦକ ଗୋଷ୍ଠୀ କାରିଗର ମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବ । ଓଡିଶାର ବିଭିନ୍ନ ଜିଲ୍ଲାର ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରିବେ ଏବଂ ସେମାନଙ୍କ ଉତ୍ପାଦ ସାମଗ୍ରୀ ବିକ୍ରୟ କରିବେ ।କୃଷି , ଉଦ୍ୟାନ କୃଷି , ମତ୍ସ୍ୟ ଚାଷ, ପ୍ରାଣୀ ଚିକିତ୍ସା , ମିସନ ଶକ୍ତି ଦ୍ୱାରା ପ୍ରୋତ୍ସାହିତ ଏସଏଚଜି ଗୁଡିକ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିବେ । ଗଂଜାମ ହାଟ ମାର୍କେଟିଂ ସୋସାଇଟିର ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ସଂନ୍ଧ୍ୟାରେ ସ୍ଥାନୀୟ ଲୋକକଳା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜିତ ହେବ । କୋଭିଡ କଟକଣା ଅନୁପାଣନ କରାଯାଇ ଉଭୟ ମେଳା ଅନୁଷ୍ଠିତ ହେବ । ଏହା ସହିତ ଟୀକା କରଣରୁ ବଞ୍ଚିତ ବ୍ୟକ୍ତିଗଣଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୀକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯିବ । ଗଂଜାମ ଜିଲ୍ଲାର ସମସ୍ତ ଜନସାଧାରଣ ଦୁଇ ଗୋଟି ଟୀକା ଗ୍ରହଣ କରି କୋଭିଡ ଦାଉରୁ ନିଜକୁ ସୁରକ୍ଷିତ କରିବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତା ତ୍ରୟ ଭାଉସାହେବ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା , ଓରମାସର ସିଇଓ ଡଃ. ଜ୍ୟୋତି ପ୍ରକାଶ ମହାନ୍ତି, ମିଶନ ଶକ୍ରିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୱାଶତ କୁମାର ସାହୁ , ଉଦ୍ୟାନ ବିଭାଗ ଜିଲ୍ଲାଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ