ଛତ୍ରପୁର ଠାରେ ଅଲମ୍ପିକ୍ ହକି ଖେଳାଳି ଅମିତ୍ ରୋହିଦାସ୍‌ଙ୍କୁ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା): ଜାତୀୟ କ୍ରୀଡା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ହକି ସଂଘ ପକ୍ଷରୁ ଅଲମ୍ପିକ୍ ହକି ଖେଳାଳି ତଥା ଭରାତୀୟ ହକି ଦଳର ସଦସ୍ୟ ଅମିତ୍ ରୋହିଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହାସହ ପୂର୍ବତନ ଅନ୍ତର୍ଜାତିକ ହକି ଖେଳାଳି ରୋଶନ ମିଞ୍ଜ୍ ଓ ଷ୍ଟାନଲି ଭିକ୍ଟୋର ମିଞ୍ଜ୍ ଏବଂ ଅନ୍ତର୍ଜାତିକ ରେଫରୀ ନିଶାନ୍ ଜ୍ୟୋତି ମହାନ୍ତିଙ୍କୁ ମଧ୍ୟ ଛତ୍ରପୁର ହକି ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ଛତ୍ରପୁର ହକି ସଂଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟୋକିଓ ଅଲମ୍ପିକ୍‌ରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ କରିଥିବା ଭାରତୀୟ ହକି ଦଳର ଅଲମ୍ପିକ୍ ଖେଳାଳି ଅମିତ୍ ରୋହିଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅମିତ୍‌ଙ୍କ ସମେତ ଅନ୍ୟାନ୍ୟ ଅତିଥିମାନଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ଏବଂ ଛତ୍ରପୁର ହକି ସଂଘର ସଦସ୍ୟ ଏବଂ ସହରର କ୍ରୀଡାପ୍ରେମୀମାନେ ମଞ୍ଚ ସ୍ଥଳକୁ ପାଛୋଟି ଆଣିଥିଲେ । ମଞ୍ଚରେ ଥିବା କିମ୍ବଦନ୍ତୀ ହକି ମହାପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ତୈଳଫଟୋ ଚିତ୍ରରେ ଅତିଥିମାନେ ପୁଷମାଲ୍ୟ ଅର୍ପଣ କରିଥିଲେ । ପରେ ଖେଳ ପଡିଆରେ ଦୁଇ ଦଳର ସଦସ୍ୟମାନଙ୍କ ସହ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଖେଳ ପଡିଆରେ ଅଲମ୍ପିକ୍ ଖେଳାଳି ଅମିତ୍ ହକି ବେଟ୍ ଏକ ସଟ୍ ମାରି ସିଧା ଗୋଲ୍ ପୋଷ୍ଟରେ ଗୋଲ କରିଥିଲେ । ପରେ ଅମିତ୍ ରୋହିଦାସ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହାସହ ମହିଳା ହକି ଖେଳାଳିଙ୍କୁ ହକି ବେଟ୍ ପ୍ରଦାନ କରିଥିଲେ । ଆଜି ମୁଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରକୁ ଆସିଥିବାରୁ ବେଶ୍ ଖୁସି ଜାହିର କରୁଛି । ସୁନ୍ଦରଗଡ ପରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହର ହକି ଖେଳର ଏନ୍ତୁଡିଶାଳ ଭାବେ ପରିଚିତ । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଦଳ ଅଲମ୍ପିକ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିଛି । ମୁଁ ପ୍ରଥମ କରି ଅଲମ୍ପିକ୍‌ରେ ଖେଳି ଦେଶ ପାଇଁ ପଦକ ହାସଲ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି । କ୍ରୀଡାବିତ୍‌ମାନଙ୍କୁ ଉତ୍ସାହ କରିବା ଲାଗି ଆମ ରାଜ୍ୟ ସରକାର ହକି ଖେଳ ତଥା ଅନ୍ୟାନ୍ୟ ଖେଳ ଏବଂ କ୍ରୀଡାବିତ୍‌ମାନଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି । ଓଡିଶା ସରକାର ଆସନ୍ତା ୧୦ ବର୍ଷ ପାଇଁ ଭାରତୀୟ ହକି ମହିଳା ଓ ପୁରୁଷ ଦଳକୁ ପ୍ରାୟୋଜକ କରିବା ପାଇଁ ସ୍ଥିର କରିଛନ୍ତି । ସରକାରଙ୍କ ସମସ୍ତ ସୁବିଧା ସୁଯୋଗକୁ ହାତଛଡା ନ କରି ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା, ଉତ୍ତମ ଖେଳ ପ୍ରଦର୍ଶନ କରି ଜାତୀୟ, ଅନ୍ତର୍ଜାତିୟ ଏବଂ ଅଲମ୍ପିକ୍ କ୍ରୀଡାରେ ଭାଗ ନେବା ପାଇଁ ଯୁବପିଢି କ୍ରୀଡାବିତ୍‌ଙ୍କୁ ଆଜିର ଦିବସରେ ମୋ ତରଫରୁ ଏହି ଆହ୍ୱାନ ରହିଛି ବୋଲି ଅଲମ୍ପିକ୍ ଖେଳାଳି ଅମିତ୍ ରୋହିଦାସ କହିଛନ୍ତି । ଜାତୀୟ କ୍ରୀଡା ଦିବସରେ ଛତ୍ରପୁର ସହରର ମୁଖ୍ୟ ଆକର୍ଷଣ ଆଜି ଅଲମ୍ପିକ୍ ଖେଳାଳି ଅମିତ୍ ରୋହିଦାସ କାର୍ଯ୍ୟକ୍ରମର ଯୋଗଦେଇ ଛତ୍ରପୁର ସହରର ଖେଳାଳିଙ୍କ ପ୍ରତି ଉତ୍ସାହ ସୃଷ୍ଟି କରିଛନ୍ତି । ଛତ୍ରପୁର ହକି ଖେଳର ଏନ୍ତୁଡିଶାଳ ରହିଥିବା ବେଳେ ଆଜି ଅଲମ୍ପିକ୍ ଖେଳାଳିଙ୍କୁ ନିକଟରେ ପାଇ କ୍ରୀଡାବିତ୍‌ମାନଙ୍କ ଭିତରେ ଥିବା ଉଦ୍ଧୀପନା ପୁର୍ନଜୀବିତ ହୋଇପାରିଛି । ଓଡିଶା ସରକାର ହକି ଖେଳକୁ ଗୁରୁତ୍ୱ ସହ ଗ୍ରହଣ କରି ଓଡିଶାରେ ବିଶ୍ୱକପ୍ ହକି ଖେଳର ଆୟୋଜିତ କରିବା ସହ ୩ ବର୍ଷ ପାଇଁ ଭାରତୀୟ ହକି ଦଳକୁ ପୋଷ୍ୟ ପୋଷକତା ଭାୀବେ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ଆଉ ୧୦ ବର୍ଷ ପାଇଁ ମଧ୍ୟ ଭାରତୀୟ ହକି ଦଳକୁ ପୋଷ୍ୟ ପୋଷକତା ଭାବେ ଗ୍ରହଣ କରିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ଦଳ ଅଲମ୍ପିକ୍‌ରେ ବ୍ରୋଞ୍ଜ୍ ପଦକ ହାସଲ କରିବା ସଫଳତାର ଶ୍ରେୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଛତ୍ରପୁର ବିଧାୟକ ଶ୍ରୀ ବେହେରା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ହକି ସଂଘର ଉପସଭାପତି ଅଜୟ କୁମାର ମହାପାତ୍ର ଓ ଟି.ଚନ୍ଦ୍ର ଶେଖର ରାଓ, ସଂପାଦକ ରାଜେନ୍ଦ୍ର କୁମାର ବେହେରା, ସହ ସଂପାଦକ ଶତ୍ରୁଘନ ନାହାକ, ତୁଷାରକାନ୍ତ ପାଣ୍ଡିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବନ୍ଧୁତ୍ୱପୂର୍ଣ୍ଣ ଖେଳକୁ ରେଫରୀ ଭାବେ ସନ୍ତୋଷ କୁମାର ଗୌଡ ଓ ଗୌରୀଶଙ୍କର ମହାନ୍ତି ପରିଚାଳନା କରିଥିଲେ । କମେଣ୍ଟର ଭାବେ ଚିନ୍ମୟ କୁମାର ଦାଶ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ