ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ଯୋଗାଣ ବିଭ୍ରାଟ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ନିର୍ବାଚନ ମଣ୍ଡଳୀ ରେ ବାରମ୍ବାର ହେଉଥିବା ବିଦ୍ୟୁତ ଯୋଗାଣ ବିଭ୍ରାଟକୁ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ଗୁଡିକୁ କେବେ ପରିବର୍ତ୍ତନ କରାଯିବ ବୋଲି ଚଳିତ ବିଧାନସଭା ଅଧିବେସନରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଶକ୍ତି ମନ୍ତ୍ରୀ ଶ୍ରୀ ଦେବ କହିଥିଲେ ଯେ – ଟିପିିଏସଓଡିଏଲ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କେତେକ ସ୍ଥାନରେ ଯନ୍ତ୍ର ମରାମତି ହେତୁ, ପ୍ରାକୃତିକ ବିପର୍ଯ୍ୟୟ ଅଥବା ଅନ୍ୟ କୌଣସି ଆପାଦ କାଳୀନ ସ୍ଥିତିରେ ସାମୟିକ ଭାବେ ବିଦ୍ୟୁତ୍ କାଟ କରାଯାଇଛି । ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଏହି ଅଂଚଳରେ ଓପିଟିସିଏଲ ଦ୍ୱାରା ଏକ ୧୩୨/୩୩ କେଭି ଗ୍ରୀଡ ସବ ଷ୍ଟେସନ କରାଯାଇଛି ଯାହାକି, ୩ଟି ମୁଖ୍ୟ ସବ ଷ୍ଟେସନ ଯଥା ନରେନ୍ଦ୍ରପୁର, ଆସ୍କା ଓ ବାଲୁଗାଁ ସହ ସଂଯୋଗ କରାଯାଇଛି । ଏହା ସହିତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଓଡିଏସଏସପି ଫେଜ -୧ ଯୋଜନାରେ ବଉଳଗାଁ ଠାରେ ଏକ ୩୩/୧୧ କେଭି ପ୍ରାଇମେରୀ ସବ ଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି । ସେହିପରି ବିଦ୍ୟୁତ ସଙ୍କୁଳ ବିଦ୍ୟୁତ ଖୁଣ୍ଟ ଏବଂ ଟ୍ରାନ୍ସଫର୍ମର ଗୁଡିକୁ ଟିପିଏସଓଡିଏଲ ର ବିଭିନ୍ନ ଯୋଜନା ତଥା କାପେକ୍ସ ଓ ଓପେକ୍ସ ମାଧ୍ୟମରେ ପର୍ଯ୍ୟାୟକ୍ରମେ ପରିବର୍ତ୍ତନ କରାଯାଉଛି ବୋଲି ସେ କହିଥିଲେ ।