ଛତ୍ରପୁର ପଞ୍ଚାୟତ ସମିତି ସ୍ୱତନ୍ତ୍ର ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଆର୍ଥିକ ବର୍ଷ ପଞ୍ଚଦଶ କେନ୍ଦ୍ର ଅର୍ଥ ଅନୁଦାନ ଆନୁକୂଲ୍ୟଲରେ ଛତ୍ରପୁର ବ୍ଲକର ୧୮ ଗୋଟି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଗୁଡିକର ପ୍ରସ୍ତାବ ଆଗତ ନିମନ୍ତେ ଆଜି ଛତ୍ରପୁର ପଞ୍ଚାୟତ ସମିତିର ଏକ ସ୍ୱତନ୍ତ୍ର ବୈଠକ ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆସନ୍ତା ଆର୍ଥିକ ବର୍ଷ ଲାଗି ଯେଉଁ ପ୍ରକଳ୍ପ ଗୁଡିକର ପ୍ରସ୍ତାବ ଦିଆଯିବ ସବୁ ପଞ୍ଚାୟତକୁ ସମାନତା ଭାବେ ଦେବା ଲାଗି ସବୁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରସ୍ତାବ ଗୁଡିକ ନିମନ୍ତେ ଯେଉଁ ନିୟମ ରହିଛି ସେ ଗୁଡିକର ସମସ୍ତ ବିବରଣୀ ପଞ୍ଚାୟତ ପ୍ରତିନିଧିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ଏକ ନକଲ କପି ମଧ୍ୟ ପ୍ରଦାନ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ବେହେରା, ବ୍ଲକ ଅଧ୍ୟକ୍ଷ ଶ୍ରୀ ରେଡ୍ଡୀ ,ବ୍ଲକ ଉପାଧ୍ୟକ୍ଷା ଅମିତା ସାହୁ ଆସନ୍ତା ଇଁରାଜୀ ନବବର୍ଷ ଉପଲକ୍ଷେ ସମସ୍ତ ପ୍ରତିନିଧୀ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହିତ କରୋନା ମହାମରୀ ସମୟରେ ଦୃଢତାର ସହ ମୁକାବିଲା କରିଥିବା ସମସ୍ତ ପ୍ରତିନିଧୀ ମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଛତ୍ରପୁର ବ୍ଲକ କିପରୀ ବିକାଶଧାରା ବଜାୟ ରହିବେ ସେଥି ନିମନ୍ତେ ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରି ଆସୁଥିଲେ ଆଗାମୀ ଦିନରେ ମଧ୍ୟ ଏହି ଧାରା ବଜାୟ ରହିବ ସେଥି ନିମନ୍ତେ କାର୍ଯ୍ୟକରିବାକୁ କହିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷ ପଞ୍ଚଦଶ କେନ୍ଦ୍ର ଅର୍ଥ ଅନୁଦାନ ଆନୁକୂଲ୍ୟଲରେ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଗାମ୍ବର ନାୟକ ପୁଙ୍ଖାନୁପୁଙ୍ଖ ସୂଚାନ ଦେଇଥିଲେ ।ଗତବର୍ଷ ଅକ୍ଟୋବର ୨୮ ତାରିଖରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକର ବିବରଣୀ ବିଷୟରେ ଅବଗତ କରାଯାଇ ନଥିବାରୁ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍.କିଶୋର ଚନ୍ଦ୍ର ରେଡ୍ଡୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ ଏବିଷୟକୁ ସହମତି ଜଣାଇବା ସହ ଯଦି ବୈଠକ ପରେ ସୂଚନା ମିଳୁନି ତେବେ ବୈଠକକୁ ଡାକିବା କୌଣସି କାରଣ ନାହିଁ । ଗତ ବୈଠକରେ ଆମ୍ଭେ କେଉଁ ବିଷୟରେ ଆଲୋଚନା ହୋଇଥିଲା, କେଉଁ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲୁ ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି ସେ ବିଷୟରେ ସୂଚନା ନାହିଁ ବୋଲି ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଥିଲେ । ଏଥିରେ ବିପୁଳିଙ୍ଗି ସମିତି ସଭ୍ୟ ଜୟଦେବ ଲେଙ୍କା ହସ୍ତକ୍ଷେପ କରିବାକୁ ସମିତି ସଭ୍ୟ ଶ୍ରୀ ପାଣିଗ୍ରାହୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପଞ୍ଚାୟତ ପ୍ରତିନିଧିଙ୍କ ଅଭିଯୋଗ ଉପରେ ଛତ୍ରପୁର ବିଡିଓ ସାରାଦା ପ୍ରସନ୍ନ କୁମାର ପଣ୍ଡା ହସ୍ତକ୍ଷେପ କରି ବୈଠକରେ ଶାନ୍ତିଶୃଙ୍ଖଳା ରଖିବାକୁ ଅନୁରୋଧ କରିବା ସହ ଏହି ବୈଠକ ୨୦୨୨-୨୩ ବର୍ଷ ପାଇଁ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ବିଷୟରେ ଆଲୋଚନା ପାଇଁ ସ୍ୱତନ୍ତ୍ର ବୈଠକ ଡକାଯାଇଛି । ନିଜ ଭିତରେ ମତଭେଦ ନ ରଖି ୧୮ଟି ପଞ୍ଚାୟତରେ ବିକାଶ ଲାଗି ବିଭିନ୍ନ ପ୍ରକଳ୍ପ ଗୁଡିକର ପ୍ରସ୍ତାବ ଦେବା ଲାଗି ବିଡିଓ ଶ୍ରୀ ପଣ୍ଡା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅନୁରୋଧ କରିଥିଲେ । ଏହାପରେ ପଞ୍ଚାୟତ ପ୍ରତିନିଧିମାନେ ବିଡିଓଙ୍କ ଅନୁରୋଧ କ୍ରମେ ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ପ୍ରକଳ୍ପ ସମ୍ବନ୍ଧରେ ବୈଠକରେ ଅନ୍ତିମ ପର୍ଯ୍ୟାୟରେ ବାର୍ଦ୍ଧକ୍ୟ ଭତ୍ତା ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିବା ବେଳେ ରାସନକାର୍ଡ ସମସ୍ୟା ନେଇ ଆଲୋଚନା ହୋଇଥିଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଚାଷୀଙ୍କ କ୍ଷତିପୂରଣ ଆକଳନ ନିମନ୍ତେ କୃଷି ଓ ରାଜସ୍ୱ ନିରୀକ୍ଷକମାନଙ୍କ ମନମୁଖୀ କାର୍ଯ୍ୟକୁ ପଞ୍ଚାୟତ ପ୍ରତିନିଧିମାନେ ଅସନ୍ତୋଷ କରିଥିଲେ । ଏଣୁ ଏଦିଗରେ ବ୍ଲକ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ଚାଷୀଙ୍କୁ ପ୍ରକୃତ କ୍ଷତିର କ୍ଷତିପୂରଣ ଦେବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଏହି ଆଲୋଚନାରେ ଲକ୍ଷ୍ମୀପୁର ସରପଞ୍ଚ ଏମ୍.ନାରସୁମୁଲ ରେଡ୍ଡୀ, ସମିତି ସଭ୍ୟ ଏନ୍.ଦୁର୍ଯ୍ୟୋଧନ ରେଡ୍ଡୀ, ବିପୁଳିଙ୍ଗି ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କା, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଏହି ବୈଠକରେ ଦୁଇଜଣ ଜିଲ୍ଲାପରିଷଦ ସଭ୍ୟ ଅନୁପସ୍ଥିତ ଥିବା ବେଳେ ସମସ୍ତ ପଞ୍ଚାୟତ ପ୍ରତିନିଧୀ , ବ୍ଲକ କନିଷ୍ଠ ଯନ୍ତ୍ରୀ ଗଣ ଏବଂ ବିଭିନ୍ନ ଲାଇନ ଡିପାଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।