ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ସାଧାରଣ ପରିଷଦ ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଜ୍ଞାପତି ଅଂଚଳ ପରିଷଦର ସାଧାରଣ ପରିଷଦ ବୈଠକ ଗୁରୁବାର ପୂର୍ବାହ୍ନରେ ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନଙ୍କ ପୈାରହିତ୍ୟରେ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ଜି.ପାପା ରାଓ , ଇଓ ଉମାକାନ୍ତ ନାୟକଙ୍କ ସମେତ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ପରିଷଦର ସମସ୍ତ ୱାର୍ଡର ପରିମଳ ସମେତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରିମଳ ଅବ୍ୟବସ୍ଥା ସମ୍ପର୍କରେ ଅଧିକାଂଶ କାଉନସିଲର ମାନେ ବୈଠକରେ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର କିପରୀ ସୁବ୍ୟବସ୍ଥା ହେବ ସେଥ ନିମନ୍ତେ ପରିଷଦ ପକ୍ଷରୁ ଉଚିତ କାର୍ଯ୍ୟ କରିବାକୁ ଇଓଙ୍କ ମଧ୍ୟ କୁହାଯାଇଛି । ସାହି ସାହି ବୁଲି ମଇଳା ସଂଗ୍ରହ କରୁଥିବା ଗାଡି ଗୁଡିକ ପ୍ରତ୍ୟେକ ସାହି ର ଦୁଇଟି ଛକ ସ୍ଥାନରେ ୫ମିନିଟ୍ ରହିଲେ ସାହି ବାସିନ୍ଦା ମାନେ ସେମାନଙ୍କ ମଇଳା ଗୁଡିକ ଦେବାବେଳେ ସୁବିଧା ହେବ ବୋଲି ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ବୈଠକରେ ଦୃଷ୍ଟି ଆକର୍ଷଣ କରିବା ସହିତ ପରିମଳ କାର୍ଯ୍ୟର କିପରୀ ସୁଧାର ଆସିବ ସେଥି ନିମନ୍ତେ କାର୍ଯ୍ୟକରିବାକୁ ସେ କହିଥିଲେ । ସେହିପରି ୯ନଂ ୱାର୍ଡ ର ଜଣେ ନିହାତି ଗରୀବ ଶ୍ରେଣୀ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପରିଷଦ ପକ୍ଷରୁ ପ୍ରଦାନ କରାଯାଇ ନଥିବା କାଉନସିଲର ପ୍ରିତିଛନ୍ଦା ସାମଲ ବିରକ୍ତି ପ୍ରକାଶ କରିଥିଲେ । ଏହାସହିତ ୱାର୍ଡର ବିଭିନ୍ନ ସାହିର ସଠିକ ଭାବେ ସଫା ସୁତରା କରାଯାଉ ନଥିବା ମଧ୍ୟ ସେ ବୈଠକରେ କହିଥିଲେ । ୧ନଂ ୱାର୍ଡ ଅନ୍ତର୍ଗତ ପଟ୍ଟନାୟକ କଲୋନୀରେ ବିନା ପ୍ଲାନିଂରେ ଡ୍ରେନେଜ କରାଯାଇଥିବାରୁ ଉପୁଜିଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ନିମନ୍ତେ କାଉନସିଲର ଟି.ଗଣେଷ ରେଡ୍ଡୀ କହିଥିଲେ । ଏହା ସହିତ ପୂର୍ବରୁ ବିଭିନ୍ନ ୱାର୍ଡ ଗୁଡିକର ଉନ୍ନୟନ କାର୍ଯ୍ୟ ନିମନ୍ତେ କାଉନସିଲର ମାନେ ପ୍ରସ୍ତାବ ଦେଇଥିଲେ । ସେ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯିବା ସହ ଏଥି ନିମନ୍ତେ ଏକ ପ୍ରସ୍ତାବ ଦିଆଯାଇଛି । ସେହିପରି ରିକାପଲ୍ଲୀ ସ୍ଥିତ କଲ୍ୟାଣୀ ମଣ୍ଡପର ସୁପରିଚାଳନା ନିମନ୍ତେ ପରିଷଦର ଆଗାମୀ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ ଆଲୋଚନା ହୋଇଛି । ଏହା ସହିତ ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦର ସାମୁହିକ ବିକାଶ ନିମନ୍ତେ ସମସ୍ତ କାଉନସିଲର ମାନେ ବିଭିନ୍ନ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଉପାଧ୍ୟକ୍ଷା ଜି. ପାପା ରାଓଙ୍କ ପ୍ରସ୍ତାବ କ୍ରମେ ଛତ୍ରପୁର ର ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ବିୟୋଗରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।