ଛତ୍ରପୁର ରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଦିନରେ ଏକାଧିକ ପର୍ବ ପର୍ବାଣି ପଡିଥାଏ । ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଝୁଲଣ ଯାତ୍ରା, ରାକ୍ଷୀ ପୂର୍ଣ୍ଣିମା, ବଳଭଦ୍ର ଜନ୍ମ ଏଭଳି ଅନେକ କିଛି । ଆମ ସଂସ୍କୃତି ଓ ପରମ୍ପରା ରେ ଅନେକ ପର୍ବ ପର୍ବାଣି ପାଳନ ହୁଏ । ସେଥି ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ଏକ ସ୍ନେହର ଡୋର ରେ ବାନ୍ଧି ରଖିବାର ଏକ ଭିନ୍ନ ପରମ୍ପରା । ଭଉଣିଟେ ଭାଇ ହାତରେ ରାକ୍ଷୀ ବାନ୍ଧି ସଂପର୍କକୁ ଅଧିକ ସୁଦୃଢ କରିଥାଏ । ଆଉ ଭାଇଟେ ତାର ପ୍ରତିବଦଳରେ ଭଉଣୀକୁ ସାରା ଜୀବନ ସୁରକ୍ଷା ଦେବାର ପ୍ରତିଶୃତି ମଧ୍ୟ ଦେଇଥାଏ । କେବଳ ଭାରତ କାହିଁକି ଭାରତର ପୋଡଶୀ ଦେଶ ନେପାଳରେ ମଧ୍ୟ ଏହାକୁ ପାଳନ କରାଯାଇଥାଏ । ଏହି ପବିତ୍ର ରାକ୍ଷି ପୁର୍ଣ୍ଣମା ଦିନ ବଳଭଦ୍ରଙ୍କ ଜନ୍ମ ଦିବସ ମଧ୍ୟ ପଡିଥାଏ । ଗାଇ ଗୋରୁଙ୍କୁ ପୂଜା କରାଯିବା ସହ ଘର ଘରେ ନାନା ପ୍ରକାର ପିଠା ପଣାର ମଧ୍ୟ ଆସର ଜମିଥାଏ । ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ସବୁ ସ୍ଥାନରେ ସମସ୍ତଙ୍କ ଘରେ ଏହି ପବିତ୍ର ରକ୍ଷା ବନ୍ଧନ ପାଳନ କରାଯାଏ । ଛୋଟ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧି ବଡ ଭଉଣି ମାନେ ଭାଇ ମାନଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ଏହା ଛଡା ବହୁ ଦୂର ଦୂରାନ୍ତରେ ଥିବା ଭାଇ ମାନେ ସେମାନଙ୍କ ଭଉଣି ମାନଙ୍କ ହାତରୁ ରାକ୍ଷୀ ପିନ୍ଧିବା ପାଇଁ ଆସିଥାନ୍ତି । ଆମ ସମସ୍ତ ପର୍ବ ପର୍ବାଣୀ ସହିତ ପୁରାଣର କିଛି ନା କିଛି ସଂପର୍କ ଥାଏ । ପୁରାଣ ଯୁଗରୁ ମଧ୍ୟ ଏହି ପରମ୍ପରା ଲାଗି ରହିଛି । ମହାଭାରତରେ ବର୍ଣ୍ଣିତ ଅଛି ଯେ, ଶ୍ରୀକୃଷ୍ଣ ଶିଶୁପାଳକୁ ବଦ୍ଧ କରିବା ସମୟରେ ଶ୍ରୀ କୃଷ୍ଣଙ୍କ ଆଙ୍ଗୁଠିରେ ଟିକେ ଆଘାତ ଲାଗିବାରୁ ଦ୍ରୋପଦୀ ନିଜ ଶାଢୀ କାନିରୁ ଖଣ୍ଡେ ସୂତା ଶ୍ରୀ କୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ । ପ୍ରତି ବଦଳରେ ଶ୍ରୀ କୃଷ୍ଣ ଦ୍ରୋପଦୀଙ୍କ ବସ୍ତ୍ର ହରଣ କଲାବେଳେ ତାଙ୍କୁ ଉଦ୍ଧାର କରି ତାଙ୍କ ଋଣ ସୁଝିଥିଲେ । ଏହିଭଳି ବହୁ ପୌରାଣିକ କାହାଣି ସହିତ ଆମ ସଂସ୍କୃତି ଓ ପରମ୍ପରା ଜଡିତ ହୋଇ ରହିଛି । ସେହିପରି ଛତ୍ରପୁର ଠାରେ ରକ୍ଷା ବନ୍ଧନ ଉତ୍ସବ ଘରେ ଘରେ ପାଳିତ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ