ଛାତ୍ରଛାତ୍ରୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
କେନ୍ଦ୍ରାପଡା – ଜିଲ୍ଲାର ସର୍ବ ପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ୧୮୬୩ ମସିହାରୁ ପ୍ରତିଷ୍ଠିତ ଜିଲ୍ଲାର ସର୍ବ ପୁରାତନ ଏହି ଶିକ୍ଷା ଅନୁଷ୍ଠାନଟି ଦିନେ ଜିଲ୍ଲା ତଥା ରାଜ୍ୟରେ ନାଁ କମାଇଥିଲା । ହେଲେ କର୍ପୁର ଉଡିଯାଇଛି ସିନା କନା ଖଣ୍ଡେ ପଡି ରହିଥିବାପରି ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଅନୁଷ୍ଠାନଟି ଗତି କରୁଛି । ବିଦ୍ୟାଳୟରେ ଅନେକ ସମୟରେ ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ଯୋଗୁ ପାଠ ପଢାରେ ଗୁରୁତ୍ତର ଅଚଳାବସ୍ଥା ଦେଖା ଦେଇଛି । ଏହି ବିଦ୍ୟାଳୟରେ ସମୁଦାୟ ୪୧୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥାନ୍ତି । ୨ ବର୍ଷ ତଳେ ଏହି ବିଦ୍ୟାଳୟରେ ୨୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ୪ ଜଣ ଅଣଶିକ୍ଷକ କର୍ମଚାରୀ ଥିଲେ । କିନ୍ତୁ ଗତ ୨୦୧୮ ମସିହାରେ ୩ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଅବସର ନେବା ପରେ ଏଯାଏ କାହାରିକୁ ପୁନଃ ନିଯୁକ୍ତି ଦିଆଯିବା ତ ଦୂରର କଥା ପ୍ରାୟ ୧୦/୧୨ବର୍ଷ ଧରି ରହିଥିବା ଶିକ୍ଷକମାନଙ୍କୁ ଏଠାରୁ ବଦଳି କରି ଦିଆଯାଇଛି । ଗତ ସପ୍ତାହକ ତଳେ ଏହି ବିଦ୍ୟାଳୟରୁ ୪ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୫ ରୁ ଖସି ୧୧ରେ ପହଞ୍ଚିଛି । ଯାହାଦ୍ୱାରାକି ଏକ ସପ୍ତାହ ହେଲା ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବିଶେଷ ଅସୁବିଧା ସୃଷ୍ଟି ହୋଇଛି । ଯେଉଁ ୧୧ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ଅଛନ୍ତି ସେମାନେ ସିଟି, ଗଣ ଶିକ୍ଷକ ହୋଇଥିବାରୁ ହାଇସ୍କୁଲରେ ପାଠ ପଢାଇବାରେ ଅସୁବିଧା ହେଉଛି । ଏତେ ଗୁଡିଏ ପିଲାଙ୍କ ନିମନ୍ତେ ମାତ୍ର ଜଣେ ଗଣିତ ଶିକ୍ଷକ, ଜଣେ ଇଂରାଜୀ ଶିକ୍ଷକ ଥିବା ବେଳେ ବିଜ୍ଞାନ ଶିକ୍ଷକ ପଦବୀଟି ଖାଲି ପଡିଛି । କେବଳ ଭାଷାଗତ ଶିକ୍ଷକଙ୍କୁ ଛାଡି ଦେଲେ ବିଶେଷ କରି ଗଣିତ, ବିଜ୍ଞାନ ଏବଂ ଇଂରାଜୀ ଶିକ୍ଷକ ପଦବୀ ଗୁଡିକ ଖାଲି ପଡିଥିବାରୁ ପାଠପଢାରେ ଅଚଳାବସ୍ତା ସୃଷ୍ଟି ହୋଇଛି । ବିଦ୍ୟାଳୟ ଯିବା ପରିବର୍ତ୍ତେ ବହି ବସ୍ତାନୀ ଧରି ବୁଧବାର ଶତାଧିକ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଧାରଣାରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝା ସୁଝା କରି ଆଗାମୀ ଏକ ସପ୍ତାହ ମଧ୍ୟରେ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ପ୍ରତିଶ୍ରୁତି ପ୍ରଦାନ ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିଲେ ।