ଛାତ୍ରୀ ମାନଙ୍କ ପାଇଁ ୮ଦିନ ଧରି ଚାଲି ଥିବା ଆତ୍ମରକ୍ଷା ତାଲିମର ଶିବିର ଉଦଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ପାଇଁ ୮ଦିନ ଧରି ଚାଲି ଥିବା ଆତ୍ମରକ୍ଷା ତାଲିମର ଶିବିର ଉଦଯାପିତ ହୋଇଯାଇଛି । ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି ଯୋଗଦେଇ ଛାତ୍ରୀ ମାନଙ୍କୁ ସବୁ ପରିସ୍ଥିତିରେ ନିଜକୁ ସୁଦୃଢ଼ କରିବା ସହିତ ମାନସିକ ଶକ୍ତି , ବୁଦ୍ଧିମତା ଏବଂ ଆବଶ୍ୟକ ସ୍ଥଳେ ଆତ୍ମ ସୁରକ୍ଷା କୌଶଳ ପ୍ରୟୋଗ କରିବା ପାଇଁ ଉପଦେଶ ଦେଇଥିଲେ। ତତ୍ ସହିତ କ୍ରୀଡା , ବ୍ୟାୟାମ ଇତ୍ୟାଦି ନିତିଦିନ କାର୍ଯ୍ୟରେ ସାମିଲ କରିବା ଜରୁରୀ ବୋଲି କହିଥିଲେ। ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ଛାତ୍ରୀ ମାନଙ୍କୁ କିଭଳି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପ୍ରତି ବିପଦକୁ ସହଜରେ ଦୂର କରିପାରିବ ଏବଂ ଆତ୍ମ ରକ୍ଷା କୌଶଳର ପ୍ରଶିକ୍ଷଣ ବିଷୟରେ ଅବଗତ କରାଇଥିଲେ । ଇତିହାସ ଅଧ୍ୟାପକ ନୃସିଂହ ପ୍ରସାଦ ପାଣିଗ୍ରାହୀ ଯୋଗଦେଇ ଛାତ୍ରୀ ମାନଙ୍କୁ ନାରୀର ମହନତାକୁ ଦର୍ଶାଇ ଆତ୍ମ ସୁରକ୍ଷାର ଆବଶ୍ୟକତା ଏବଂ ପ୍ରୟୋଗ ବିଷୟରେ ବୁଝାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗଜପତି ଜିଲ୍ଲାରେ ଥିବା ୧୦ ଗୋଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏହି ଆତ୍ମରକ୍ଷା ତାଲିମର ଦାୟିତ୍ଵ ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା । ଅନୁବନ୍ଧିତ ସମସ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମର ଶିବିର ସୁଚାରୁ ରୂପେ ସମ୍ପାଦିତ ହୋଇସାରିଛି। ଜିଲ୍ଲା ସଂଯୋଜିକା ବିଜୟଲକ୍ଷ୍ମୀ ପଣ୍ଡା , ଏ ଏନ୍ ଓ ଏନ୍ ସି ସି ତଥା ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଲେଫ୍ଟନାଣ୍ଟ ଅନିତା କୁମାରୀ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରି ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ବିଷୟରେ ଉଦବୋଧନ ଦେଇଥିଲେ । ପ୍ରଶିକ୍ଷିକା ଇତିରାଣୀ ନାୟକ , ପରିଣୀତା ଶବର , ଲଳିତା ପଢିଆରୀ , ଦୀପ୍ତିମୟୀ ସାହୁ ଉତ୍କଳ କରାଟେ ସ୍କୁଲରୁ ନିଜ ନିଜର ସ୍ୱତନ୍ତ୍ର ଜ୍ଞାନ କୌଶଳ ଶିକ୍ଷା ସମ୍ପର୍କରେ ସୂଚନା ଦେବା ସହ ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମରକ୍ଷା ଶିକ୍ଷା ଦେଇଥିଲେ ଏବଂ ଛାତ୍ରୀ ମାନେ ପ୍ରଶିକ୍ଷଣ ପାଇଥିବା କୌଶଳ ଗୁଡିକୁ ସୁନ୍ଦର ଭାବରେ ପ୍ରଦର୍ଶତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ଲେଫ୍ଟନାଣ୍ଟ ଅନିତା କୁମାରୀ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପିକା ଡ଼ଃ ମନଶ୍ୱିନୀ ଦାସ , ଗୁରୁ ରଘୁନାଥ ପାତ୍ର , ସଂସ୍କୃତ ଅଧ୍ୟାପିକା ଡି.ପ୍ରିୟଙ୍କା ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଉଦଯାପନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


