ଛେନାପଦି ପରିବା ମାର୍କେଟ ତିନିଦିନ ପାଇଁ ବନ୍ଦ
ହାଟଡିହି (ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ କରୋନା ପଜେଟିଭ ଆକ୍ରାନ୍ତ ଚିହ୍ନଟ ପରେ ଛେନାପଦି ବଜାରରେଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ସଂକ୍ରମଣ ଅଞ୍ଚଳରୁ ଶହଶହ ଲୋକେ ଦୈନଦିନ ନିଜ ନିଜର ପରିବାପତ୍ର ଧରି ଛେନାପଦି ମାର୍କେଟକୁ ବିକ୍ରୀ କରିବାପାଇଁ ଆସନ୍ତି । ଗତକାଲି ଠାରୁ ପୁଲିସ ସଂକ୍ରମିତ ଅଞ୍ଚଳକୁ ସିଲ କରିଥିବା ସତ୍ତ୍ୱେ କିଛି ଚାଷୀ ସେ ଅଞ୍ଚଳରୁ ଲୁଚିକରି ଆସି ପରିବା ମାର୍କେଟରେ ବିକ୍ରୀବଟା କରୁଥିବା ଜଣାପଡିବା ପରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଚାଷୀମାନେ ରାତି ଦୁଇଟାରୁ ଆସି ପରିବାପତ୍ର ବିକ୍ରୀ କରୁଛନ୍ତି । ପରିବା ମାର୍କେଟରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେବି ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଆଜି ବଜାର କମିଟି ପକ୍ଷରୁ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତିନିଦିନ ପାଇଁ ପରିବା ମାର୍କେଟକୁ ବନ୍ଦ କରାଯାଇଛି ।


