ଜଗନ୍ନାଥଙ୍କ ମୁହଁ କଳା ଓ ଦେହ ଧଳା କାହିଁକି?
ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ରହସ୍ୟମୟ । ତାଙ୍କ ମନ୍ଦିର, ତାଙ୍କ ମୂର୍ତ୍ତି ତାଙ୍କ ବେଶ, ଯାନିଯାତ୍ରା ସବୁଥିରେ ରହିଛି ନିଆରାପଣ । ଦେଖିବା ଲୋକକୁ ଯାହା ଦିଶେ ବେଳେବେଳେ ସେ ସବୁର ଉତ୍ତର ମିଳେନା । ଶ୍ରୀ ଜଗନ୍ନାଥ ଏମିତି କାହିଁକି ବୋଲି ପ୍ରଶ୍ନ ଆସେ । କିନ୍ତୁ ତାହା ଉତ୍ତର ଖୋଜି ଖୋଜି ଆମେ କ୍ଲାନ୍ତ ହୋଇଯାଉ । ଜଗନ୍ନାଥ ସଂସ୍କୃତିର ଏହି ନିଆରାପଣିଆ ହିଁ ଆଜି ସାରା ବିଶ୍ୱରେ ଏହାକୁ ସ୍ୱତନ୍ତ୍ର ମାନ୍ୟତା ଦେଇଛି । ଶ୍ରୀ ମହାପ୍ରଭୁ ଜଗନ୍ନାଥଙ୍କ ଗୋଟିଏ ରହସ୍ୟ ସମ୍ପର୍କରେ ଆମେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯାହାକୁ ପଢ଼ି ଆପଣ ହୁଏତ ମହାପ୍ରଭୁଙ୍କ ଅନନ୍ୟ ପଣିଆ ପ୍ରଣିପାତ କରିବେ ।
ଜଗନ୍ନାଥ ଓଡ଼ିଆଙ୍କ ପ୍ରିୟ କାଳିଆ, କଳାଠାକୁର । ଗୌଡ଼ୀୟ ଭକ୍ତଙ୍କ ପାଇଁ ସେ କଳାକାହ୍ନୁ, ରାମପନ୍ଥୀ । ଭକ୍ତଙ୍କ ପାଇଁ ସେ ଶ୍ୟାମଳ ରାମଚନ୍ଦ୍ର । ସବୁଥିରେ ଗୋଟିଏ ଶବ୍ଦ । କଳା ରଙ୍ଗର କଥା । ହେଲେ ନିରେଖି ଦେଖିଲେ ଏଥିରେ ବି ବ୍ୟତିକ୍ରମ ଦିଶିବ । ଯଦି ଆପଣ କେବେ ମଇଲମ (ବେଶ ଓ ବସ୍ତ୍ର ପରିବର୍ତ୍ତନ ସମୟକୁ ଏପରି କୁହାଯାଏ) ହେଉଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ କରନ୍ତି ତେବେ ଏହି ବ୍ୟତିକ୍ରମଟି ଆପଣଙ୍କ ଦୃଷ୍ଟିକୁ ଆସିବ ।
କଳାଠାକୁର ଶ୍ରୀମୁଖଟି କଳା ରଙ୍ଗ ହୋଇଥିବା ବେଳେ ଅଧର ପାଖରୁ ତଳକୁ ବା ବିଗ୍ରହଙ୍କ ନିମ୍ନ ଅଂଶଟି ଧଳା ରଙ୍ଗର ହୋଇଥିବା ପ୍ରତୀୟମାନ ହୁଏ । ସାଧାରଣ ଦର୍ଶକ, ଭକ୍ତ ବା ଶ୍ରଦ୍ଧାଳୁ ଏହାକୁ ଦେଖି ନିଶ୍ଚିତ ଆଚମ୍ବିତ ହେଉଥିବେ । ଜଣେ ବ୍ୟକ୍ତିର ମୁହଁର ରଙ୍ଗ ଗୋଟିଏ, ଆଉ ଦେହର ରଙ୍ଗ ଆଉ ଗୋଟିଏ ହୋଇପାରେ କେମିତି? ଏହି ପ୍ରଶ୍ନ ଦିନେ ବିଭ୍ରାନ୍ତ କରିଥିଲା ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ । ଆଉ ଏହି ଦିବ୍ୟ ବିଗ୍ରହଙ୍କ ସମନ୍ୱୟ ଭାବକୁ ସେ ବୁଝିପାରି ରଚନା କରିଛନ୍ତି ‘ଜଗନ୍ନାଥାଷ୍ଟାକମ୍’ । ଯେଉଁଥିରେ ଏହି ଦୁଇ ରଙ୍ଗା କଥାକୁ ଅତି ସୁନ୍ଦର ଭାବେ ସେ ଲେଖି ଯାଇଛନ୍ତି ।
ଏହି ମହାନ ଶ୍ଳୋକର ୬ଷ୍ଠ ପଦରେ ଜଗନ୍ନାଥଙ୍କୁ ରାଧା ଏବଂ କୃଷ୍ଣଙ୍କ ସମ୍ମିଳିତ ବିଗ୍ରହ ବୋଲି ବର୍ଣ୍ଣନା କରାଯାଇଛି ।
ଲେଖାଯାଇଛି “ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖମ, ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବତୁମେ’
ପରବର୍ତ୍ତୀ ସମୟରେ ଏହି ଶ୍ଳୋକର ଅର୍ଥକୁ ଏପରି ଭାବେ ବ୍ୟାଖ୍ୟା କରାଯାଇଛି । କୁହାଯାଇଛି ଯେ, ରାଧା କୃଷ୍ଣରୂପୀ ଜଗନ୍ନାଥଙ୍କୁ ଆଲିଙ୍ଗନ କରି ଧରିଛନ୍ତି । ଏଣୁ ତାଙ୍କ ପୃଷ୍ଠଭାଗ ଆମେ ଦେଖିବାକୁ ପାଉଛେ । ଜଣେ ଜଣଙ୍କୁ କୁଣ୍ଢାଇ ଧରିଲେ ଜଣଙ୍କ ପୃଷ୍ଠଭାଗ ଓ ଅନ୍ୟ ଜଣଙ୍କ ମୁଖ ଦେଖାଯିବା ସ୍ୱାଭାବିକ । ଏଣୁ ଏହି ଭାବରେ କ ଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନାରୁଢ଼ ହୋଇଛନ୍ତି । ରାଧା ଗୌର ବର୍ଣ୍ଣର ପ୍ରତୀକ ହୋଇଥିବାରୁ ମହାପ୍ରଭୁ ଭକ୍ତ ବତ୍ସଳତାକୁ ପ୍ରତିପାଦିତ କରି ଏପରି ଶ୍ରୀ ବିଗ୍ରହ ରୂପ ଧାରଣ କରିଛନ୍ତି ।