ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ନେଇ ଅପପ୍ରଚାର କରୁଥିବା ବିଜେଡ଼ି ନେତ୍ରୀ ସୁଲତା ଦେଓ ଓଡ଼ିଶାବାସୀଙ୍କୁ ଭୁଲ୍ ମାଗନ୍ତୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ୨୪ ବର୍ଷ ଧରି ଓଡ଼ିଶାକୁ ନିଜ ଅକ୍ତିଆରରେ ରଖି, ରାଜ୍ୟକୁ ଲୁଟ୍ କରି ଓଡ଼ିଆ ଅସ୍ମିତାକୁ ଧ୍ୱଂସ କରି ଓଡ଼ିଆପ୍ରାଣ ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଧ୍ୱଂସ ଆଡ଼କୁ ନେଇ ଯାଇଥିବା ବିଜେଡ଼ି ଦଳ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛି । ଜଗନ୍ନାଥଙ୍କ ଅଭିଶାପରେ ଶାସନ କ୍ଷମତାରୁ ବିଦା ହୋଇଥିବା ବିଜେଡ଼ି ଦଳ ଏବେ ଦିଗହରା ହୋଇପଡ଼ିଛି । ଦଳର ନେତା ଓ ନେତ୍ରୀମାନେ କଣ କରିବେ ଓ କହିବେ, ତାହା ବୁଝିପାରୁ ନାହାଁନ୍ତି । ଜଗନ୍ନାଥଙ୍କୁ ଭିକ ମଗାଇ ତାଙ୍କର ରତ୍ନଭଣ୍ଡାରକୁ ଲୁଟ୍ କରିଥିବା ଏହି ଦଳର ନେତାନେତ୍ରୀ କ୍ଷମତା ପାଇଁ କେତେ ଯେ ତଳସ୍ତରକୁ ଯାଇପାରନ୍ତି, ତାହା ଭାବି ହେଉନାହିଁ । ନିକଟରେ ଏକ ଫ୍ଲାଇଟ ଯୋଗେ ବମ୍ବେରୁ ଭୁବନେଶ୍ୱର ଆସିଥିବା ଅନେକ ସୁନା ଓ ରୁପା ଏକ ବ୍ୟବସାୟିକ ଗାଡ଼ିରୁ ଜିଏସ୍‌ଟି କର୍ତ୍ତୃପକ୍ଷ ଏହାକୁ ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଅଟକ ରଖିଥିବା ବେଳେ ଏହାକୁ ନେଇ ବିଜେଡ଼ି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ ସାମାଜିକ ଗଣମାଧ୍ୟମରେ ଭ୍ରମାତ୍ମକ ତଥ୍ୟ ରଖିଛନ୍ତି । ଜାଣିଶୁଣି ଓଡ଼ିଆଙ୍କୁ ବୋକା ବନାଇବା ପାଇଁ ସେ ଏହି ସୁନା ରୁପା ରତ୍ନ ଭଣ୍ଡାର ସଙ୍ଗେ ଯୋଡ଼ିଛନ୍ତି ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ଓ ତାଙ୍କ ଯୋଗ୍ୟତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସୁନା ରୁପା ବମ୍ବେରୁ ଆସିଥିବା ବେଳେ ସେ ଏହାକୁ କିପରି ରତ୍ନ ଭଣ୍ଡାର ସହିତ ଯୋଡୁଛନ୍ତି । କିଛିଦିନ ତଳେ ଟିଏମ୍‌ସି ସାଂସଦ ମୋଇଆ ମୈତ୍ର ଅର୍ଥ ବଦଳରେ ପ୍ରଶ୍ନ ପଚାରୁଥିବା ଅଭିଯୋଗ ଯୋଗୁ ସଂସଦରୁ ନିଲମ୍ବିତ ହୋଇଥିଲେ । ତେଣୁ ଏହି ସୁନାରୁପା କାରବାରରେ ବିଜେଡ଼ି ଦଳର କୌଣସି ନେତାନେତ୍ରୀଙ୍କ ସମ୍ପୃକ୍ତି ଅଛି କି? ଏହାକୁ ଲୁଚାଇବା ପାଇଁ ସାଂସଦ ମହୋଦୟା ଏଭଳି ମନଗଢା କାହାଣୀ କହୁଛନ୍ତି କି? ଲୋକେ ଅନୀତି, ଦୁର୍ନୀତି ଓ କୁନୀତିରେ ଅତିଷ୍ଠ ହୋଇ ବିଜେଡ଼ି ଦଳକୁ ବାଏ ବାଏ କରିଛନ୍ତି । ଯେତେ ଅପଚେଷ୍ଟା କଲେ ବି ଓଡ଼ିଆବାସୀଙ୍କୁ ବିଜେଡି ଦଳ ଆଉ ଭ୍ରମିତ କରିପାରିବ ନାହିଁ ବୋଲି ବିଜେପିର ପ୍ରବକ୍ତା ପ୍ରକାଶ ରଥ କହିଛନ୍ତି । ଶ୍ରୀମତୀ ଦେଓ କାଳିଆ ଠାକୁରଙ୍କ ନାମରେ ଓଡ଼ିଆଙ୍କୁ ମିଛ କହିଥିବାରୁ ଭୁଲ୍ ମାଗନ୍ତୁ ବୋଲି ଶ୍ରୀ ରଥ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ