ଜଗା ପାଇଁ ଗଛଟିଏ ଲଗା ଅଭିଯାନ ଉଦ୍ଘାଟିତ ଓ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶ୍ୱ ପରିବେଶ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ବିଶିଷ୍ଟ ପରିବେଶବିତ୍ ତଥା ସ୍ତମ୍ଭକାର ଡଃ ଭଗବାନ ପ୍ରକାଶଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ଚଳିତବର୍ଷର ସମ୍ମାନଜନକ ଗ୍ରୀନ୍ମ୍ୟାନ୍ ସମ୍ମାନ ପ୍ରଦାନ କରାଯାଇଛି । ଏଥିସହିତ ଜଗା ପାଇଁ ଗଛଟିଏ ଲଗା ଅଭିଯାନ ଉଦ୍ଘାଟନ ହେବା ସହ ସ୍ଥାନୀୟ ଜୟଦେବ ଭବନରେ ଜାତୀୟ ବୃକ୍ଷପ୍ରେମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରେରଣା, ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ରକ୍ଷେତ୍ର, ସ୍ମାଇଲ୍ ପ୍ଲିଜ୍, ସୁଧାନନ୍ଦ ଶିକ୍ଷାନୁଷ୍ଠାନ ସମୂହର ମିିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଭଗବାନ ପ୍ରକାଶ ସମ୍ବର୍ଦ୍ଧନାର ଉତ୍ତରରେ କହିଲେ ଯେ, ଆଜି ସମଗ୍ର ବିଶ୍ୱ ପରିବେଶ ପ୍ରଦୂଷଣ ଜନିତ ସମସ୍ୟାରେ ଜର୍ଜରିତ । ପୃଥିବୀ ମା’କୁ ସୁରକ୍ଷିତ ରଖିବା ସହିତ ନିଜେ ବଂଚି ବା ପାଇଁ ହେଲେ ନିଜର ପ୍ରାଚୁର୍ଯ୍ୟ ଜୀବନ ଶୈଳୀରେ ପରିବର୍ତ୍ତନ କରିବା ସହ ବାହୁ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣ ଆଦିକୁ ସୁରକ୍ଷିତ ରଖିବା ପାଇଁ ବ୍ୟାପକ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, ରାଜ୍ୟରେ ୨୦୦୦ ମସିହାରୁ ବିଭିନ୍ନ ଜିଲ୍ଲାରେ ସୃଷ୍ଟି କରାଯାଇଥିବା ୨୦୦ରୁ ଅଧିକ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଆଜି ପ୍ରାୟ ନିଶ୍ଚିହ୍ନ ହୋଇପଡ଼ିଛି । ତେଣୁ ପ୍ରଥମେ ଖୋର୍ଦ୍ଧା ଫରେଷ୍ଟ ଡ଼ିଭିଜନ, ପରେ ନୟାଗଡ଼ ଫରେଷ୍ଟ ଡ଼ିଭିଜନ, ବୌଦ୍ଧ ଫରେଷ୍ଟ ଡ଼ିଭିଜନରୁ ଶ୍ରୀ ଜଗନ୍ନାଥଙ୍କ ତିନୋଟି ରଥ ପାଇଁ କାଠ ସଂଗ୍ରହ କରାଯାଉଥିବା ବେଳେ ଚଳିତବର୍ଷ ଏହାର ଘୋର ଅଭାବ ପରିଲକ୍ଷିତ ହେବାରୁ ଗଞ୍ଜାମର ସୋରଡ଼ାରୁ କାଠ ସଂଗ୍ରହ କରାଯାଇଛି । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଓ ରଥ ନିର୍ମାଣ ପାଇଁ ପ୍ରେରଣା ପକ୍ଷରୁ ଚଳିତବର୍ଷ ଜନସାଧାରଣ ନିଜ ଉଦ୍ୟମରେ ରଥ ଉପଯୋଗୀ ଗଛ ଲଗାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଏଥିରେ ସାଧାରଣ ଜନତା ଅଂଶଗ୍ରହଣ କରିବାକୁ ସେ ନିବେଦନ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଡଃ ଭଗବାନ ପ୍ରକାଶଙ୍କ ପରି ପ୍ରତିଭାଙ୍କୁ ଆଜି ଯେଉଁ ସମ୍ମାନ ଦିଆଗଲା, ତାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । କାରଣ ଧ୍ୱଂସାଭିମୁଖୀ ପୃଥିବୀକୁ ରକ୍ଷା କରିବା ପାଇଁ ଯୁବସମାଜ ବ୍ୟାପକ ବୃକ୍ଷ ରୋପଣ କରିବା ସହ ନିଜ ଚତୁଃପାଶ୍ୱର୍ର ପରିବେଶକୁ ସୁରକ୍ଷିତ ରଖିବା ସହ ମନ ଭିତରେ ସଂକଳ୍ପ ନେବା ଆବଶ୍ୟକ ଡଃ ପ୍ରକାଶ ଆଜି ଯେଉଁ ସମ୍ମାନ ପାଇଛନ୍ତି ମୁଁ ବି ସେହିପରି କର୍ତ୍ତବ୍ୟ ସମ୍ପାଦନ କରି ଆଗାମୀ ଦିନରେ ଏହି ସମ୍ମାନର ଅଧିକାରୀ ହୋଇପାରିବି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ସହଦେବ ସାହୁ, ରୋଟାରୀ କ୍ଲବର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ କୁମାର ସାହୁ, ବିଧାୟକ ସୁରେଶ କୁମାର ରାଉତରାୟ, ପ୍ରଥମ ଗ୍ରୀନ୍ମ୍ୟାନ୍ ସମ୍ମାନର ଅଧିକାରୀ ଇଂ ବିଶ୍ୱମୋହନ ପଟ୍ଟନାୟକ, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ସଭାପତି ଡଃ ଅଚ୍ୟୁତାନନ୍ଦ ପଟ୍ଟନାୟକ, ବିଶିଷ୍ଟ ଅଭିନେତା ଓ ସମାଜସେବୀ ଚନ୍ଦନ ପଣ୍ଡା, ସ୍ମାଇଲ୍ ପ୍ଲିଜ୍ର ସମ୍ପାଦକ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ସମାଜସେବୀ ଋଷି ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ପରିବେଶ ସୁରକ୍ଷା, ଜୀବନ ରକ୍ଷା ଆଦି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଡଃ ଭଗବାନ ପ୍ରକାଶଙ୍କୁ ପ୍ରଦତ୍ତ ୧ ଲକ୍ଷ ଟଙ୍କାର ଅର୍ଥରାଶିକୁ ପ୍ରଥମ ଗ୍ରୀନ୍ମ୍ୟାନ ସମ୍ମାନ ପ୍ରାପକ ଇଂ ବିଶ୍ୱମୋହନ ପଟ୍ଟନାୟକ ପ୍ରାୟୋଜିତ କରିଥିଲେ । ଏହି ଅବସରରେ ଓଡ଼ିଶାର ୩୦ଗୋଟି ଜିଲ୍ଲା ତଥା ବିଭିନ୍ନ ରାଜ୍ୟରୁ ବହୁ ପ୍ରତିଷ୍ଠିତ ବୃକ୍ଷପ୍ରେମୀ, ପରିବେଶବିତ୍, ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଶ୍ରୀ ବଦ୍ରୀନାରାୟଣ ମିଶ୍ର, ଖୋର୍ଦ୍ଧା ଅଞ୍ଜୁମାନ ଇସ୍ଲାମର ସଭାପତି ରମଜାନ ଖାଁ, ସମାଜସେବୀକା ଚିନ୍ମୟୀ ପଣ୍ଡା, ସୁଦିପ୍ତା ପଟ୍ଟନାୟକ, ମୀର ଅହମ୍ମଦ ଅଲ୍ଲୀ ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ୩୦ଜଣଙ୍କୁ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ ସମ୍ମାନ ପ୍ରଦାନ କରାଯାଇଥିଲା ।


