ଜଣେ ଶିକ୍ଷକ:ଦୁଇସ୍ଥାନରେ ଚାକିରି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ଶିକ୍ଷା ବିଭାଗ ଅଧୀନସ୍ଥ ତରକୋର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଦୁଇଟି ସ୍ଥାନରେ ଚାକିରି କରୁଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି ।ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ନମ୍ବର ୧୮୨୭/୨୩ ରେ ସତ୍ୟଜିତ ଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଥିବା ଗୋପ ଶିକ୍ଷାଧିକାରୀ ସୁଶିଲ କୁମାର ବ୍ରହ୍ମା କହିଛନ୍ତି ।ପ୍ରକାଶ ଯେ, ତରକୋର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ସାମାଜିକ ବିଜ୍ଞାନ ଶିକ୍ଷକ ଭାବେ ସତ୍ୟଜିତ ନିଯୁକ୍ତି ପାଇଥିଲେ ।ଛାତ୍ରଛାତ୍ରୀ ଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ସଂପୃକ୍ତ ଶିକ୍ଷକ ସ୍ବାସ୍ଥ୍ୟ ଗତ କାରଣ ଦର୍ଶାଇ ଦୀର୍ଘଦିନ ଧରି ଛୁଟିରେ ରହିଥିଲେ ।ଏପରିକି ଏକ ସ୍ବେଛାସେବୀ ସଂଗଠନ ରେ ରହି ଦରମା ନେଉଥିଲେ। ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ ହେବା ପରେ ଏହା ତଦନ୍ତ ପରିସରଭୁକ୍ତ ହୋଇଥିଲା । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ତଦନ୍ତ ସମୟରେ ସ୍ଵାସ୍ଥ୍ୟଗତ ସମ୍ପର୍କିତ ଠିକ ପ୍ରମାଣପତ୍ର ଦାଖଲ ନ କରି ପାରିବାରୁ ତଦନ୍ତକାରୀ ଅଧିକାରୀ ଏ ନେଇ ଉଚ୍ଚକର୍ତ୍ତୃପକ୍ଷ ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ ।ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁସାରେ ତାଙ୍କୁ ଚାକିରି ରୁ ବହିଷ୍କୃତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟକି ପୁରୀ ଜିଲ୍ଲା ର ନିମାପଡ଼ା, ଗୋପ, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ରେ ଏକାଧିକ ନକଲି ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢାଇ ସରକାର ଙ୍କ ଠାରୁ ଦରମା ନେଉଥିବା ସମ୍ପର୍କ ରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ ନୀରବଦ୍ରଷ୍ଟା ସାଜିଛି। ଶିକ୍ଷକ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯାଉନାହିଁ। ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।


