ଜନଗଣନା-୨୦୨୧ ନିମନ୍ତେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ବାଲେଶ୍ୱର : ସଦ୍‌ଭାବନା ସଭାଗୃହଠାରେ ଜନଗଣନା-୨୦୨୧ ନିମନ୍ତେ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିବା ସହିତ ନିର୍ଭୁଲ ଭାବେ କିଭଳି ଜନଗଣନା-୨୦୨୧ ହୋଇପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ବିଗତ ୨୦୧୧ରେ ଜନଗଣନା ହୋଇଥିବା ବେଳେ ପୁଣି ଦଶ ବର୍ଷ ପରେ ୨୦୨୧ରେ ଜନଗଣନା ହେବାକୁ ଯାଉଛି । ଏଥି ନିମନ୍ତେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯେଉଁମାନଙ୍କୁ ଜନଗଣନା-୨୦୨୧ ଲାଗି ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ରାଜ୍ୟସ୍ତରୀୟ ଜନଗଣନା ନୋଡାଲ ଅ‘ିସର ମହେନ୍ଦ୍ର ମହାଳିକ, ପାର୍ବତୀ ବେହେରା ଓ ପ୍ରୋଗ୍ରାମ ଅ‘ିସର ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଏଥିରେ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଉପସ୍ଥିତ ତହସିଲଦାର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ଅତିରିକ୍ତ ତହସିଲଦାର ଓ ବ୍ଲକ ଶିକ୍ଷାଧିକାରୀମାନଙ୍କୁ ଜନଗଣନାର ବିଭିନ୍ନ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅଧିକାରୀମାନେ ପରବର୍ତୀ ପର୍ଯ୍ୟାୟରେ ପ୍ରତି ଘରକୁ ଯାଇ ସର୍ଭେ କରିବାକୁ ଥିବା ସୁପରଭାଇଜର ଓ ଗଣନାକାରୀମାନଙ୍କୁ ଏ ବାବଦରେ ଅବଗତ କରାଇବେ । ପ୍ରଥମ ଥର ପାଇଁ ମୋବାଇଲ ଆପ ଜରିଆରେ ସର୍ଭେ ଓ ଜନଗଣନା କାର୍ଯ୍ୟ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା, ସାଧାରଣ ଓ ବିବିଧ ବିଭାଗ ଡେପୁଟୀ କଲେକ୍ଟର ସୁଶ୍ରୀ ଅରୁଣା ତ୍ରିପାଠୀ ପ୍ରମୁଖ ଏଥିରେ ମଂଚାସୀନ ଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ । ଆସନ୍ତା କାଲି ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ