ଜନଧନ ଓ ଉଜ୍ଜ୍ୱଳା ଯୋଜନାରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ହିତାଧିକାରୀ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକଡାଉନ ଜାରି ହୋଇଛି । ଫଳରେ ଗରିବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଏହି ସଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସାଧାରଣତଃ ପରିବାର ଚଳାଇବାର ବୋଝ ମହିଳାଙ୍କ ଉପରେ ରହୁଥିବାରୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କେନ୍ଦ୍ରରେ ମହିଳାମାନଙ୍କୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାର ମହିଳା ହିତାଧିକାରୀମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାସକୁ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦିଆଯାଉଛି । ତିନି ମାସ ପାଇଁ ମହିଳା ହିତାଧିକାରୀମାନେ କେନ୍ଦ୍ର ସରକାରଙ୍କ ଠାରୁ ଏହି ସୁବିଧା ପାଇବେ । ଫଳରେ ଜନ ଧନ ଯୋଜନାର ମହିଳା ହିତାଧିକାରୀ ତିନି ମାସକୁ ୧୫୦୦ ଟଙ୍କା ଏବଂ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ତିନି ମାସରେ ତିନୋଟି ଗ୍ୟାସ ରିଫିଲ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ । ଇତିମଧ୍ୟରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ବହୁ ସଂଖ୍ୟକ ହିତାଧିକାରୀ ଉପରୋକ୍ତ ଦୁଇଟି ଯୋଜନାରେ ପ୍ରଥମ ଦଫା ସହାୟତା ପାଇସାରିଛନ୍ତି । ସେମାନେ ବ୍ୟାଙ୍କ ଓ ଜନସେବା କେନ୍ଦ୍ର ଆଗରେ ସାମାଜିକ ଦୂରତା ରକ୍ଷା କରିବା ସହିତ ଧାଡ଼ି ବାନ୍ଧି ନିଜ ନିଜ ସହାୟତା ଅର୍ଥ ଗ୍ରହଣ କରିଛନ୍ତି । ଲକଡାଉନ ବେଳେ କାମଧନ୍ଦା ନଥିବାରୁ ଏପରି ଆର୍ଥିକ ସହାୟତା ସେମାନଙ୍କୁ ପରିବାର ଚଳାଇବାରେ ବିଶେଷ ସହାୟକ ହୋଇପାରିବ ବୋଲି ହିତାଧିକାରୀମାନେ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ଜଣେ ହିତାଧିକାରୀ ପ୍ରମିଳା ନାଗ କହିଛନ୍ତି ଯେ ଜନ ଧନ ଯୋଜନାରେ ୫୦୦ ଟଙ୍କା ପାଇଛି । ଉଜ୍ଜ୍ୱଳା ଯୋଜନାରେ ୮୦୦ ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । ଏବେ କାମ ଧନ୍ଦା ନଥିବା ବେଳେ ଏହି ଅର୍ଥ ପରିବାର ଚଳାଇବାରେ ବେଶ ସହାୟକ ହୋଇପାରିବ । ସାହାଯ୍ୟ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଆଉ ଜଣେ ମହିଳା ହିତାଧିକାରୀ ରାଜେଶ୍ୱରୀ ନାଗ କହିଛନ୍ତି କାମଦାମ ନଥିବା ବେଳେ ଏହି ସହାୟତା ପାଇଥିବାରୁ ଆମେ ସୁବିଧାରେ ଚଳିପାରିବୁ । ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ । ଭବାନୀପାଟଣା ଠାରୁ ୨୧ କିମି ଦୂର ମେଦିନିପୁର ଗ୍ରାମର ୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ନିକଟରେ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ ରିଫିଲ କରାଯାଇଛି । ଗ୍ୟାସ ଏଜେନ୍ସି ପକ୍ଷରୁ ହିତାଧିକାରୀଙ୍କ ଘର ପାଖରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଏଭଳି ଅସୁବିଧା ସମୟରେ ମାଗଣାରେ ରୋଷେଇ ଗ୍ୟାସ ଯୋଗାଇ ଦେଇଥିବାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାଛଡ଼ା କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ସୁରକ୍ଷା ଯୋଜନା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଉପକୃତ ହୋଇଥିବା ବହୁ ହିତାଧିକାରୀ ମଧ୍ୟ ସହାୟତା ପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ କୋଭିଡ-୧୯ ଲକଡାଉନ କାରଣରୁ କାମଧନ୍ଦା ହରାଇଥିବା ଦେଶର ଗରିବ ଲୋକଙ୍କ କଲ୍ୟାଣ ଲାଗି ଗତ ୨୬ ମାର୍ଚ୍ଚ, ୨୦୨୦ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ତଦନୁଯାୟୀ, ବିଭିନ୍ନ ଜନହିତକାରୀ ଯୋଜନାରେ ଗରିବଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ବର୍ତମାନସୁଦ୍ଧା ୧୬.୦୧ କୋଟି ହିତାଧିକାରୀଙ୍କୁ ଡିବିଟି ଜରିଆରେ ୩୬,୬୫୯ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇସାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ