ଜନ ବିସ୍ଫୋରଣର ଭୟଙ୍କର ଚିତ୍ର : ଆଗକୁ ଡ୍ରାଗନ୍ ପରି ଉଡିବ ମଣିଷ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଗକୁ ଡ୍ରାଗନ୍ ପରି ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନକୁ ଉଡ଼ି ଉଡ଼ି ଯିବ ମଣିଷ! ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ଏଭଳି ପରିକଳ୍ପନା କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୮ ବର୍ଷ ବୟସର ବାଳକ ଶାନ୍ତନୁ ଶାନ୍ତିସ୍ୱରୂପ । ରଙ୍ଗ, ତୂଳୀରେ ସେ ଆଙ୍କିଛନ୍ତି ଜନ ବିସ୍ଫୋରଣର ଭୟଙ୍କର ଚିତ୍ର । ଆଜି ଜୁଲାଇ ମାସ ୧୧ ତାରିଖ । ବିଶ୍ୱ ପାଳୁଛି ଜନସଂଖ୍ୟା ଦିବସ । ଶାନ୍ତନୁ ଚିତ୍ର ମାଧ୍ୟମରେ ଏହି ପରିପ୍ରେକ୍ଷୀରେ ସାରା ବିଶ୍ୱକୁ ସଚେତନତାର ବାର୍ତ୍ତା ଦେବା ସହ ଜନ ବିସ୍ଫୋରଣର ଭୟାବହତା ସମ୍ପର୍କରେ ସତର୍କ କରାଇଛନ୍ତି । ଶାନ୍ତନୁ ଚିତ୍ରରେ ଦର୍ଶାଇଛନ୍ତି ଆଗକୁ ବିଶ୍ୱ ସାମ୍ନା କରିବ ଭୟଙ୍କର ପରିସ୍ଥିତି । ଚାରିଆଡ଼େ ଦେଖାଯିବ ହାହାକାର । ଦିନକୁ ଦିନ ହୁ ହୁ ହୋଇ ଜନସଂଖ୍ୟା ବଢିଚାଲିଛି । ରାତି ପାହିଲେ ଯୁଆଡ଼େ ଅନେଇବ ଘର, ଦୁଆର, କଳ କାରଖାନା, ରାସ୍ତାଘାଟ ଇତ୍ୟାଦି ସବୁ ମାଡ଼ିଚାଲିଛି । ଯଦ୍ୱାରା ସ୍ଥଳଭାଗ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି । ଅନ୍ୟପଟେ ଯଦି ଏଭଳି ହାରରେ ଜନସଂଖ୍ୟା ବଢିଚାଲେ ତେବେ ଆଗକୁ ମଣିଷ ଭୂଇଁରେ ପାଦ ରଖିବାକୁ ସ୍ଥାନ ପାଇବ ନାହିଁ । ନା ସେ ରାସ୍ତାରେ ଚାଲିପାରିବ ନା କୌଣସି ଯାନବାହନ ଇତ୍ୟାଦି ଚାଲିପାରିବ । ସବୁ ହୋଇଯିବ ଠପ୍ । ଶେଷରେ ଡ୍ରାଗନ୍ ପରି ହେଉ ଅବା ପକ୍ଷୀଟିଏ ପରି ହେଉ ମଣିଷ ନିଜ ଶରୀରରେ ଯନ୍ତ୍ରଚାଳିତ ଡ଼େଣା ଖଞ୍ଜି ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନକୁ ଆକାଶରେ ଉଡ଼ି ଉଡ଼ି ଯିବା ପାଇଁ ଚେଷ୍ଟା କରିବ । ସଂପ୍ରତି ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ହେଲେ ବିଶ୍ୱ ସମୁଦାୟ ଆଉ କାଳବିଳମ୍ବ ନକରି ଏକାଠି ହୋଇ ଚିନ୍ତା କରନ୍ତୁ ଓ ଏହାର ସମାଧାନ ଦିଗରେ ରାସ୍ତା ବାହାର କରନ୍ତୁ । ନଚେତ୍ ନେଡ଼ିଗୁଡ଼ କହୁଣୀକୁ ବୋହିଯିବ । ଶାନ୍ତନୁଙ୍କ ଏଭଳି ନିଆରା ଚିନ୍ତାଧାରା ଓ ବିଚାରକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ବେଶ୍ ପ୍ରଶଂସିତ ହୋଇପାରିଛି । ସୂଚନାଯୋଗ୍ୟ, ଶାନ୍ତନୁ ଏବେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୀମଟାଙ୍ଗି ସ୍କୁଲ୍‌ରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ