ଜବତ ଖଣିଜ ଚୋରି, ଠାବ କଲା ବନବିଭାଗ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିବିଭାଗ ପକ୍ଷରୁ ଜବତ ହୋଇଥିବା ଖଣିଜକୁ ଚୋରମାନେ ଚୋରିକରି ନେଇଥିବା ଖବର ହସ୍ତଗତ ହୋଇଛି ଏବଂ ଏହି ଜବତ ଖଣିଜକୁ ବନବିଭାଗ ଠାବ କରିଥିବା ଜଣାପଡିଛି । ବନବିଭାଗ ସୂତ୍ରରୁ ଜଣାପଡିଛି ଯେ, ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବନବିଭାଗ ପକ୍ଷରୁ ବୈତରଣୀ ରିଜର୍ଭ ଫରେଷ୍ଟରେ ଚଢାଉ କରାଯାଇଛି । ଦୀର୍ଘ ଦିନରୁ ଯୋଡା ଖଣିବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ମାଙ୍ଗାନିଜ୍ ପଥରକୁ ଜବତ କରି ଖଣିବିଭାଗ ରଖିଥିଲା । ଉକ୍ତ ଖଣିଜର ଉପଯୁକ୍ତ ସୁରକ୍ଷା ନହେବାରୁ ଖଣିଜ ଚୋରମାନେ ଅଖାରେ ଭର୍ତିକରି ଉକ୍ତ ସ୍ଥାନରୁ କାର୍ଯ୍ୟାଳୟ ନିକଟସ୍ଥ ଜଙ୍ଗଲକୁ ସ୍ଥାନାନ୍ତର କରି ଗଚ୍ଛିତ ରଖିଥିଲେ ଏବଂ ସେଠାରୁ ଛୋଟ ଗାଡିରେ ବୋଝେଇ କରି ବାହାର ଅଂଚଳକୁ ଚୋରା ଚାଲାଣ କରାଯାଉଥିଲା । ପ୍ରାୟ ଲକ୍ଷାଧିକ ଟଙ୍କାର ଉକ୍ତ ଖଣିଜ ବନବିଭାଗ ଠାବ କରିଥିବା ସୂତ୍ରରୁ ଜଣାପଡିଛି । ଯାହାରକି ବଜାର ଦର ପ୍ରାୟ ୧୩ ହଜାର ଟଙ୍କା ପ୍ରତି ମେଟ୍ରିକ୍ଟନ ରୁ ଅଧିକ ଅଛି । ତେବେ ଜବତ ଖଣିଜକୁ କିଏ ଚୋରି କରୁଥିଲା ଏବଂ ଏହା କୁଆଡେ ଚୋରା ଚାଲାଣ ହେଉଥିଲା ଏ ନେଇ ବନବିଭାଗ ଖଳତାଳ ଆରମ୍ଭ କରିଥିବା ଜଣାପଡିଛି । ଏ ନେଇ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପରିସର ହତ୍ତା ରେ ଥିବା ଖଣିଜ ସୁରକ୍ଷିତ ଅଛି । ବନବିଭାଗ ସହିତ ସମନ୍ୱୟ ରକ୍ଷାକରି ସୁରକ୍ଷିତ ଅକ୍ତିଆର ରେ ଥିବା ଖଣିଜ କିପରି ଚୋରି ହେଲା ଏହାର ଯାନ୍ଚ କରାଯିବ ।