ଜମିଜମା ସଂପର୍କିତ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ୩ ଗୁରୁତର, ଜଣେ ଅଟକ
ମୋହନା, (ଅଂଶୁମାନ ପଣ୍ଡା) :-ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପରସ୍ପର ପ୍ରତି ଆକ୍ରମଣ ଯୋଗୁଁ ଉଭୟ ପକ୍ଷର ତିନି ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନେ ହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମର ରାମଚନ୍ଦ୍ର ବଡ଼କୁମର, ଜଗଦୀଶ ପାଣିଗ୍ରାହୀ ଏବଂ ଶୁଶାନ୍ତ କୁମାର ଦୋରା । ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଗିରି ଜଗନ୍ନାଥ ମନ୍ଦିର ନିକଟ ମୁଖ୍ୟ ବଜାରରେ ଗ୍ରାମର ଗୋଟିଏ ପକ୍ଷ ରାମଚନ୍ଦ୍ର ବଡ଼କୁମର ଏବଂ ଉତ୍କଳ ମେଡିକାଲ ଷ୍ଟୋର୍ ମାଲିକ ଜଗଦୀଶ ପାଣିଗ୍ରାହୀ ( ବୁଲୁ) ଏବଂ ଅନ୍ୟପକ୍ଷ ଶୁଶାନ୍ତ କୁମାର ଦୋରା ଓ ତାଙ୍କ ପୁତୁରା ସଞ୍ଜୟ କୁମାର ଦୋରାଙ୍କ ମଧ୍ୟରେ ଜମିଜମା ସଂପର୍କିତ ବିବାଦକୁ ନେଇ ବଚସା ହୋଇଥିଲା । ପରେ ବଚସା ବଢିଯାଇ ଉଭୟଙ୍କ ମଧ୍ୟରେ ମାରପିଟ ପର୍ଯ୍ୟନ୍ତ କଥା ଚାଲିଗଲା । ଶୁଶାନ୍ତ କୌଣସି ଏକ ଧାରୁଆ ଅସ୍ତ୍ରରେ ରାମଚନ୍ଦ୍ର ଓ ଜଗଦୀଶ ଙ୍କୁ ଆକ୍ରମଣ କରିବାରୁ ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ସେମାନଙ୍କ ଆକ୍ରମଣରେ ମଧ୍ୟ ଶୁଶାନ୍ତଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡିଛି । ତେବେ ତିନିଜଣ ପ୍ରଥମେ ଚନ୍ଦ୍ରଗିରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଗୋଟିଏ ପକ୍ଷରୁ ଥାନାରେ ଅଭିଯୋଗ ପରେ ସଂଜୟକୁ ମୋହନା ଥାନାରେ ଅଟକରଖି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।