ଜମ୍ମୁକଶ୍ମୀରରେ ଆରମ୍ଭ ହେଲା ମୋବାଇଲ ଇଣ୍ଟରନେଟ ସେବା
ଶ୍ରୀନଗର – ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଧିରେ ଧିରେ କୋହଳ କରାଯାଉଛି । ପ୍ରଶାସନ ଏବେ ପ୍ରିପେଡ୍ ସିମ କାର୍ଡସ୍ ଉପରେ ଭଏସ ଏବଂ ଏସଏମଏସ ସେବାକୁ ପୁଣି ଥିରେ ଆରମ୍ଭ କରିଛି । ତେବେ ପୂର୍ବଭଳି ସୋସିଆଲ ମିଡିଆ ଉପରେ ନିଷେଧାଜ୍ଞା ଅବ୍ୟାହତ ରହିଛି । ଏ ସଂପର୍କରେ ଜମ୍ମୁ ଓ କଶ୍ମୀରର ପ୍ରମୁଖ ଶାସନ ସଚିବ ରୋହିତ କନସଲ ଶନିବାରଦିନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ୧୦ ଜିଲାରେ ପୋଷ୍ଟପେଡ ଉପରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ପୁଣି ଥରେ ଆରମ୍ଭ କରାଯାଇଛି । କିନ୍ତୁ, ଏବେ ବଡଗାମ, ଗଣ୍ଡରବଲ , ବାରାମୁଲା, ଶ୍ରୀନଗର, କୁଳଗ୍ରାମ, ଅନନ୍ତନାଗ, ଶୋପିଆଁ ଏବଂ ପୁଲବାମାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ସୂଚନାଅନୁସାରେ ଜମ୍ମୁ ଓ କଶ୍ମୀରରେ ଗତ ଅଗଷ୍ଟ ମାସଠାରୁ ଲାଗୁ ହୋଇଥିବା କଟକଣାକୁ ନେଇ ସରକାରଙ୍କ ଉପରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚାପ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗତ ସପ୍ତାହରେ କେତେକ ବିଦେଶୀ ପ୍ରତିନିଧିଙ୍କୁ କଶ୍ମୀର ଯିବାକୁ ଅନୁମତି ଦେଇଥିଲେ । ଗତ ସୋମବାରଦିନ ସୁପ୍ରିମକୋର୍ଟ ଜମ୍ମୁ ଓ କଶ୍ମୀରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଇଣ୍ଟରନେଟ ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।