ଜରୁରୀ କାଳୀନ ସେବାର ସ୍ଥାୟୀ ସମାଧାନ ପାଇଁ ଆଞ୍ଚଳିକ ମହିଳା ସଙ୍ଘର ରାଲି
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ର ସର୍ବବୃହତ ବ୍ଲକ ଭାବେ ଦାରିଙ୍ଗବାଡି ବ୍ଲକ ସୁପରିଚିତ। ୨୫ ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ। ଦାରିଙ୍ଗବାଡି ବ୍ଲକ ମହକୁମାକୁ ଛାଡିଦେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଓ ବଜାରୀ କରଣ ଦୃଷ୍ଟିରୁ ବ୍ରାହ୍ମଣୀଗାଁ ଅନ୍ୟତମ ଅଟେ। ବ୍ରାହ୍ମଣୀଗାଁରେ କଳା ଓ ବାଣିଜ୍ୟ ବିଭାଗର ଯୁକ୍ତ୩ ମହାବିଦ୍ୟାଳୟ ସହିତ ସରକାରୀ ଉଚ୍ଚ ବିଦ୍ୟାଳୟ, ପ୍ରଭାତୀତାରା ବାଳିକା ଉଚ୍ଚ ବିଦ୍ୟାଳୟ, ଡାକ୍ତର ଖାନା, ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ, ପ୍ରାଣୀଧନ ଡାକ୍ତର ଖାନା, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ସେକ୍ସନ ଅଫିସ,ସହିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ରହିଛି। ଏହି ସବୁ ଦୃଷ୍ଟିରୁ ବ୍ରାହ୍ମଣୀଗାଁ କୁ ୮ଗୋଟି ଗ୍ରାମ ପଞ୍ଚାୟତର କେନ୍ଦ୍ରବିନ୍ଦୁ କୁହା ଯାଉଛି। ହେଲେ ବ୍ରାହ୍ମଣୀଗାଁ ଅଞ୍ଚଳର ଦୁଃଖ ସାଜିଛି ବିଦ୍ୟୁତ, ବିଏସଏନଏଲ ନେଟ ୱାର୍କ ଓ ଷ୍ଟେଟ ବ୍ୟାଙ୍କ ସେବା।ଦୀର୍ଘ ଦିନ ଧରି ବିଦ୍ୟୁତ ସେବା ଅଚଳ ରହୁଛି, ବିଦ୍ୟୁତ ଅଭାବରୁ ବିଏସଏନଏଲ ନେଟୱାର୍କ ସେବା ଯୋଗାଇବାରେ ବାଧା ସୃଷ୍ଟି ହେଉଛି। ବିଦ୍ୟୁତ ଓ ନେଟୱାର୍କ ଅଚଳରୁ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି ଗ୍ରାମାଞ୍ଚଳର ସାଧାରଣ ଜନତା। ଅଧିକାଂଶ ସମୟ ବିଏସଏନଏଲ ନେଟୱାର୍କ ରହୁନଥିବାରୁ ଅନଲାଇନ ଶିକ୍ଷାଦାନରୁ ବଞ୍ଚିତ ରହୁଛନ୍ତି ଅଂଚଳର ଛାତ୍ରଛାତ୍ରୀ,ପ୍ରାୟ ସମୟ ବ୍ୟାଙ୍କରେ ଲିଙ୍କ ରହୁ ନଥିବାରୁ ଗରିବ ଜନସାଧାରଣ ସକାଳୁ ଆସି ବ୍ୟାଙ୍କରୁ ସେବା ନପାଇ ନିରାଶ ହୋଇ ସନ୍ଧ୍ୟାକୁ ଫେରୁଛନ୍ତି। ବହୁବାର ଅଞ୍ଚକ ବାସୀ ବିଦ୍ୟୁତ, ନେଟୱାର୍କ, ଓ ବ୍ୟାଙ୍କ ସେବା ସଠିକ ଭାବେ ପାଇବା ପାଇଁ ଓ ବ୍ୟାଙ୍କରେ ପ୍ରିଣ୍ଟିଂ ମେସିନ ସ୍ଥାପନ କରିବା ପାଇଁ ବିଭାଗୀୟ ଅଧିକାରୀ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଞ୍ଚଳ ବାସୀ କୌଣସି ସୁଫଳ ପାଇନଥିବାରୁ, ୮ଗୋଟି ଗ୍ରାମ ପଞ୍ଚାୟତର ମହିଳା ମାନଙ୍କୁ ନେଇ ଗଠିତ ହୋଇଥିବା ଆଞ୍ଚଳିକ ଉନ୍ନୟନ ମାତୃ ସଙ୍ଘ କମିଟି ନେତୃତ୍ୱରେ ଅଞ୍ଚଳର ଶତାଧିକ ମହିଳା ଏକତ୍ରିତ ହୋଇ ବିଦ୍ୟୁତ, ନେଟୱାର୍କ ଓ ବ୍ୟାଙ୍କ ସେବା ସଠିକ ଭାବେ ପାଇବା ପାଇ ରାଲି ମାଧ୍ୟମରେ ହାତରେ ପ୍ଲାକ କାର୍ଡ ଧରି ସ୍ଲୋଗାନ ମାନ ଦେଇ ବଜାର ପରିକ୍ରମା କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କୁ ଏକ ସ୍ମାରକପତ୍ର ପତ୍ର ପ୍ରଦାନ କରିଛନ୍ତି।ଏହା ସହିତ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି। ଏହି ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ରେଜିଷ୍ଟ ପୋଷ୍ଟ ମାଧ୍ୟମରେ ଦେଇଥିବା ସୁଚନା ଦେଇଛନ୍ତି। ଏହାପରେ ମଧ୍ୟ ଏହି ସେବା ଯୋଗାଇ ଦେବାରେ ଅଣ ଦେଖାକଲେ, ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ସଂଘର କର୍ମକର୍ତା ମାନେ ସୂଚନା ଦେଇଛନ୍ତି।