ଜଳସରପୁର ଗ୍ରାମ ପୋଖରୀରୁ ଅଜଣା ବାଇକ ଉଦ୍ଧାର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନରେ ଗତ କିଛିଦିନ ହେଲା ବିଭିନ୍ନ ସ୍ଥାନରେ ଚୋରୀ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିଦିନ ତଳେ ସାହାପୁର ଗ୍ରାମରୁ ଗୋଟିଏ ପରିବାରର ଦୁଇଟି ବାଇକ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିନ୍ତୁ ସଂପୃକ୍ତ ଚୋରୀ ଓ ବାଇକ ଲୁଟ ସମ୍ପର୍କରେ ପୁଲିସ ସାମାନ୍ୟତମ ଟେର ପାଇ ପାରିନଥିବାବେଳେ ଗତକାଲି ଗେଡମା ପଞ୍ଚାୟତର ଜଳସରପୁର ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରୁ ଏକ ଅଜଣା ବାଇକ ଉଦ୍ଧାରେ ହେବା ଘଟଣା ଆଲୋଚନାର ବିଷୟ ପାଲଟିଛି । କିଛି ଛୋଟଛୁଆ ସେହି ରାସ୍ତାଦେଇ ଯାଉଥିବାବେଳେ ପୋଖରୀରେ ପଡିଥିବା ବାଇକର ହେଣ୍ଡଲ ଦେଖି ଅନ୍ୟମାନଙ୍କୁ କହିଥିଲେ । ପରେ ଗାଁର କିଛି ଯୁବକ ପୋଖରୀରେ ପସି ଉକ୍ତ ବାଇକଟିକୁ ବାହାରକୁ ଆଣିବାପରେ ଏ ନେଇ ପୁଲିସକୁ ସୁଚନା ଦେଇଥିଲେ । ବାଇକର ନମ୍ବର ଓଡି-୦୪-୫୮୫୬ ହୋଇଥିବା ବେଳେ ବାଇକଟିର ଅବସ୍ଥା ଦେଖି ଏହା ଢ଼େର କିଛିଦିନ ହେବ ପୋଖରୀରେ ପକାଯାଇଥିବା ଅନୁମାନ କରାଯାଉଛି । ପୁଲିସ ଏହାର ତଦନ୍ତ କରୁଥିବା କହିଛି ।