ଜଳସେଚନ ବିଭାଗର ଜିଲ୍ଲାସ୍ତରୀୟ ‘ସେଚ’ ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲାର ଜଳସେଚନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପ୍ରସଙ୍ଗ ନେଇ ଜିଲ୍ଲାସ୍ତରୀୟ ଜଳସମ୍ପଦ ବିଭାଗର ସେଚ ସମୀକ୍ଷା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରି ସମସ୍ତ ବିଭାଗର ସମନ୍ୱୟ ରକ୍ଷା କରିବା ସହ ପ୍ରକଳ୍ପ ଲାଗି ଦେଖାଯାଉଥିବା ସମସ୍ୟା ଗୁଡିକ ତୁରନ୍ତ ସମାଧାନ କରିବା ପାଇଁ କହିଛନ୍ତି । ଏହାସହ ବିଦ୍ୟମାନ ପ୍ରକଳ୍ପର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ସମୟାନୁବର୍ତ୍ତୀ ଚାଲୁଥିବା କାର୍ଯ୍ୟ ଗୁଡିକର ସମ୍ପନ୍ନ କରିବାକୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲା ପୋତାଗଡ ହିଁ ଏକମାତ୍ର ଅନ୍ତର୍ମୁଖ ମୁହଁ ଦୁର୍ଗ ରହିଛି । ଏଣୁ ଏହାର ବିକାଶ ଏବଂ ସୌନ୍ଦର୍ଯ୍ୟୀକରଣ ଲାଗି ଲକ୍ଷ୍ୟ ରହିଛି । ପୋତାଗଡ ଓ ସମରଝୋଳ ଟ୍ୟାଙ୍କ୍‌ର ବିକାଶ କରିବା ପାଇଁ ସ୍ୱତନ୍ତ୍ର ଅର୍ଥ ବିନିଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ଘଟେଶ୍ୱର ଠାରେ ଚାଲୁ ରହିଥିବା ପ୍ରକଳ୍ପ ଲାଗି ବାଲିକ୍ୱାରୀ ସମସ୍ୟା ଏବଂ ସୋରଡା ରିଜର୍ଭର, ପିପଳପଙ୍କା ବ୍ୟାରଜ୍‌ର ଉନ୍ନତି କରଣ ନେଇ ଆଲୋଚନା ହୋଇଥିଲା । ହରଭଙ୍ଗୀ ପ୍ରକଳ୍ପର ୫୯ କିଲୋମିଟର ମଧ୍ୟରୁ ୫୦ କିଲୋମିଟର ପର୍ଯ୍ୟନ୍ତ ପାଇପ୍ ଲାଇନ୍ ବିଛାଯାଇଥିବା ବେଳେ ବାକି ୯ କିଲୋମିଟର କାମ ତୁରନ୍ତ ଶେଷ କରିବାକୁ କୁହାଯାଇଛି । ବାହାବାନାଳ ପ୍ରକଳ୍ପ ଲାଗି ଡିପିଆର୍ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି । ଛେଳିଗଡ ପ୍ରକଳ୍ପ ଉପରେ ବିଶଦ୍ ଭାବେ ଆଲୋଚନା ହୋଇଥିଲା । ଛେଳିଗଡ ପୁନର୍ବାସ କଲୋନିରେ ଥଇଥାନ୍ କରାଯାଇଛି । ଗଞ୍ଜାମ ଜିଲ୍ଲାର ସାମନ୍ତରାପୁର ଗାଁରେ ୫୦୦ ପରିବାର ମଧ୍ୟରୁ ୩୦୦ ପରିବାକୁ ଥଇଥାନ୍ କରାଯାଇଛି । ବାକି ପରିବାରକୁ ତୁରନ୍ତ ଥଇଥାନ କରାଯିବ । ସେହିପରି ଉକ୍ତ ପରିବାର ଜୀବନ ଜୀବିକାକୁ ଦୃଷ୍ଟିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ସେହିପରି ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ସମସ୍ତ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଜଳ ପ୍ରଭାରୀ ତଥା ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଭୁବନେଶ୍ୱର) ଅଶ୍ୱିନୀ କୁମାର ମହାପାତ୍ର, ଆର୍‌ବିଭିଏନ୍‌(ବ୍ରହ୍ମପୁର) ଡିଭିଜନର ମୁଖ୍ୟ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା ଏବଂ ଜଳସେଚନ ବିଭାଗର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ