ଜଳିଗଲା ୫ ବଖରା
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ବନ୍ତଳା ଥାନା ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ରବିବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୫ ବଖରା ଜଳିଯାଇଛି । ସୂଚନା ଅନୁସାରେ ଗ୍ରାମର ବାସନ୍ତୀ ସାହୁଙ୍କ ୨ ବଖରା ସହ ୩୦ ହଜାର ଟଙ୍କା, ଆସବାବପତ୍ର, ଧାନ, ଚାଉଳ, ପିଆଜ ଆଦି ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ସେହିପରି ହୃଦାନନ୍ଦ ସାହୁଙ୍କ ୨ ବଖରା, ରବିନ୍ଦ୍ର ସାହୁଙ୍କ ଗୋଟିଏ ଗୁହାଳ ଘର ପୋଡ଼ିଯାଇଛି । ତେବେ ଏହି ଅଗ୍ନିକାଣ୍ଡରୁ ବାସନ୍ତୀଙ୍କ ପୁଅ ଆକାଶ (୧୭), ଝିଆରୀ ମାମୁଲି (୧୭), ପୁତୁରା ବିଜନ ପ୍ରଧାନ (୧୩) ବର୍ତ୍ତି ଯାଇଛନ୍ତି । ସମସ୍ତେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀ ଅଗ୍ନିକାଣ୍ଡ ସମ୍ପର୍କରେ ଜାଣିବା ପରେ ଘର ଭିତରୁ ଉକ୍ତ ୩ଜଣଙ୍କୁ ଉଦ୍ଧାର କରିବାସହ ନିଆଁକୁ ଆୟତ୍ତ କରିଥିଲେ । ସେହିପରି ଶନିବାର ଖିଣ୍ଡା ଗ୍ରାମର ବିନୋଦ ସାହୁ, ପ୍ରତାପ ଦେହୁରୀଙ୍କ ମସଲା ଦୋକାନରେ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗ ଗାଡ଼ି ବିଳମ୍ବରେ ପହଞ୍ଚିବା ପୂର୍ବରୁ କଂଗ୍ରେସର ଅନୁଗୋଳ ବିଧାୟକ ପ୍ରାର୍ଥୀ ବିପ୍ଲବ ଜେନାଙ୍କ ପ୍ରଚାର ଗାଡ଼ି ଜେନେରେଟରକୁ ବ୍ୟବହାର କରି ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ସୂଚନା ମିଳିଛି ।


