ଜଳେଶ୍ୱରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ୍) : ଆଜି ଅପରାହ୍ନରେ ଜଳେଶ୍ୱର ବ୍ଲକ ସମ୍ମିଳନୀ କକ୍ଷରେ ହସପିଟାଲ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳେଶ୍ୱର ଅଂଚଳରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଏବଂ ଗତ ଅଗଷ୍ଟ ୧୫ ତାରିଖରେ ସ୍ଥାନୀୟ ଜି.କେ.ଭଟ୍ଟର ହସପିଟାଲର ହୋଇଥିବା ଭଙ୍ଗାରୁଜା ଘଟଣା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଶ୍ରୀ କେ ସୁଦର୍ଶନ ଚକ୍ରବର୍ତୀ ବୈଠକରେ ଯୋଗ ଦେଇ ଉପସ୍ଥିତ ଅଧିକାରୀ, ଶାନ୍ତି କମିଟି ଓ ରୋଗୀ କଲ୍ୟାଣ ସମିତିର ସଭ୍ୟମାନଙ୍କ ସମେତ ଅନ୍ୟମାନଙ୍କ ସହ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ସେବାରେ କିପରି ଉନ୍ନତି ଅଣାଯାଇପାରିବ ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲପାଳ ପ୍ରତିଶ୍ରୁତି ଦେଇଥିଲେ । ସମ୍ପ୍ରତି ଖାଲି ଥିବା ଡାକ୍ତର ପଦବୀ ପୂରଣ ନ ହୋଇପାରିବା ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ତେବେ ଭବିଷ୍ୟତରେ ହସପିଟାଲ ଭଙ୍ଗାରୁଜା ଏବଂ ଡାକ୍ତର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ଘଟଣାର ଯେପରି ପୁନରାବୃତି ନ ହୁଏ ତାହା ସୁନିଶ୍ଚିତ କରିବାକୁ ସେ ଉପସ୍ଥିତ ସଦସ୍ୟମାନଙ୍କ ସହଯୋଗ କାମନା କରିଥିଲେ । ହସପିଟାଲ ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପ୍ରକାଶ କରିଥିଲେ । ଏଥି ସହିତ ହସପିଟାଲ ପରିସରରେ ଶୌଚାଳୟ ନିର୍ମାଣ, ଡଷ୍ଟବିନ ସ୍ଥାପନ, ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା, ବନ୍ଦ ହୋଇ ପଡି ରହିଥିବା ବ୍ଲଡ ଷ୍ଟୋରେଜ ୟୁନିଟକୁ ପୁନଃ କାର୍ଯ୍ୟକ୍ଷମ କରାଇବା, ସେ‘ଇ କର୍ମଚାରୀଙ୍କୁ ତୁରନ୍ତ ନିୟୋଜିତ କରିବା, ପ୍ରତୀକ୍ଷାଳୟ ନିର୍ମାଣ, ନବନିର୍ମିତ ହସପିଟାଲ କୋଠାକୁ ବ୍ୟବହାର କରିବା ପ୍ରଭୃତି ଉପରେ ବୈଠକରେ ଦାବି ହୋଇଥିବା ବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ବୈଠକରେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଜି.କେ.ଭଟ୍ଟର ହସପିଟାଲ ଜିଲ୍ଲାର ଅନ୍ୟତମ ପ୍ରମୁଖ ହସପିଟାଲ ବୋଲି କହିଥିଲେ । ଏହା ଉପରେ ଆଖ ପାଖ ଅଂଚଳ ସହିତ ପଡୋଶୀ ପଶ୍ଚିମବଙ୍ଗର ରୋଗୀମାନେ ନିର୍ଭର କରୁଥିବାରୁ ଏହାର ମୌଳିକ ସମସ୍ୟାଗୁଡିକର ସମାଧାନ ପାଇଁ ସେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ଏଥି ସହିତ ଜନସାଧାରଣଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିବା ଜି.କେ.ଭଟ୍ଟର ହସପିଟାଲର ଉନ୍ନତି ପାଇଁ ସେ ବ୍ୟକ୍ତିଗତ ଭାବେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ । ହସପିଟାଲରେ ତୁରନ୍ତ ମେଡିସିନ ଓ ଶିଶୁ ବିଶେଷଜ୍ଞଙ୍କ ନିଯୁକ୍ତି ସହିତ ରୋଗୀ କଲ୍ୟାଣ ସମିତିର ଦୃଢୀକରଣ ଏବଂ ଆଖପାଖ ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ନିମନ୍ତେ ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କମଳାକାନ୍ତ ନାୟକ ଡାକ୍ତର ଓ ହସପିଟାଲ କର୍ମଚାରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଉପରେ ଆଲୋକପାତ କରିବା ସହିତ ସମସ୍ୟାଗୁଡିକର ସମାଧାନ ପାଇଁ ନିରନ୍ତର ଉଦ୍ୟମ ଜାରି ରହିଥିବା କହିଥିଲେ । ବୈଠକରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଣୀ ଦଳାଇ, ଏସ.ଡି.ପି.ଓ. ଶ୍ରୀ ସୁଦର୍ଶନ ଦାଶ ପ୍ରମୁଖ ମଂଚାସୀନ ଥିବା ବେଳେ ଶାନ୍ତି କମିଟି ଓ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ । ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ବୈଠକକୁ ପରିଚାଳନା କରିବା ସହ ସ୍ୱାଗତ ଅଭିଭାଷଣ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ