ଜଳ ଯୋଗାଣ ପ୍ରକଳ୍ପ ପାଇଁ ସ୍ଥାନ ଚିହ୍ନଟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଅଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ପୂର୍ବରୁ ଅନେକ ପ୍ରକଳ୍ପ ମାନ ନିର୍ମାଣ ହୋଇଥିଲା । ବ୍ଲକର ରାଢୋ, ଷୋଳମପୁର, ନପଙ୍ଗ, ମାଳଦା, ସରସଦା, କୁରିଗାଁ, ତେସିଙ୍ଗା, ଯଶୋଟିକିରି, ମଞ୍ଜୁରୀରୋଡ଼, ପରମାନନ୍ଦପୁର ଠାରେ ଜଳ ଯୋଗାଣ ପାଇଁ ବୋରିଂ ହେବା ସହ ପ୍ରକଳ୍ପ ଗୃହ ମାନ ନିର୍ମାଣ ହୋଇଥିଲା । ଏହାସହିତ ଜଳ ଯୋଗାଣ ପାଇଁ ପାଇପ ବିଛାଣ ଓ ବିଭିନ୍ନ ଗାଁ ଛକରେ ପାଣି ଟ୍ୟାପ ନିର୍ମାଣ କରାଯାଇଥିଲା। ପ୍ରକଳ୍ପ ଗୋଟି ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ବିଦ୍ୟୁତ ଦେୟ ମଧ୍ୟ ପ୍ରଶାସନ ପ୍ରଦାନ କରିଥାଏ । ପରିତାପର ବିଷୟ ନିର୍ମାଣାଧୀନ ପ୍ରକଳ୍ପ ଗୁଡିକରୁ ଜନସାଧାରଣ ଦିନଟିଏ ହେଲେ ପାଣି ପାଇନଥିବା ବେଳେ ଏଥିରେ କେବଳ ଜଳ ଓ ପରିମଳ ବିଭାଗ ଠିକାଦାର ପୋଷଣ କରିଥିବା ଅଭିଯୋଗ ହୋଇ ଆସୁଛି । ସେ ଯାହାବି ହେଉ ପ୍ରକଳ୍ପ ଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ପୁଣି ବିଭାଗ ଆଧୁନିକ ଶୈଳୀରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଅଣ୍ଟା ଭିଡ଼ିଛି। ବ୍ଲକର ଆଲିହା, ଜଳମଣ୍ଡୁଆ, ନିର୍ଗୁଣ୍ଡି ଓ ବିଷ୍ଣୁପୁର ଠାରେ ପୁରୁଣା ଯୋଜନାର ନବୀକରଣ ପାଇଁ ନୂତନ ପ୍ରକଳ୍ପ ମାନ ନିର୍ମାଣ କରିବାକୁ ଯାଉଛି। ଏଥିପାଇଁ ବୋରିଂ ହୋଇ ସାରିଥିବା ବେଳେ ପ୍ରକଳ୍ପ ଗୃହ ସହିତ ପାଇପ ବିଛାଣ ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି । ସହକାରୀ ଯନ୍ତ୍ରୀ ମୁକୁଳ ଚନ୍ଦ୍ର ଦାସ ଓ କନିଷ୍ଠ ଯନ୍ତ୍ରୀ ଭାଗିରଥି ଦାସ କ୍ଷେତ୍ର ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟ ବାବଦରେ ଠିକାଦାରଙ୍କୁ ଲେଆଉଟ ଦେଇଛନ୍ତି । ସୂଚନା ଅନୁସାରେ ପୂର୍ବ ଜଳ ଯୋଗାଣ ଯୋଜନା ଗାଁ ଛକ ଟ୍ୟାପ ନିର୍ମାଣରେ ସୀମିତ ଥିବା ବେଳେ ଏଥର କିନ୍ତୁ ଘର ଦୁଆର ମୁହଁରେ ଟ୍ୟାପ ପାଣି ମିଳିବ ବୋଲି ନିର୍ମାଣ ଦାୟିତ୍ୱ ନେଇଥିବା ଯନ୍ତ୍ରୀ ମାନେ କହିଛନ୍ତି । ଆଗକୁ ଜଳ ଯୋଗାଣ ପ୍ରକଳ୍ପ କେତେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ