ଜାଣନ୍ତୁ ଜୀବନସାଥୀଙ୍କୁ
ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି କି? ତା’ ହେଲେ ବିବାହକୁ ନେଇ ମନରେ ଅନେକ ଦ୍ୱନ୍ଦ୍ୱ ଉପଜୁଥିବ । ବାପାମା’ ଚୟନ କରୁଥିବା ପ୍ରାର୍ଥୀ କେମିତି ହୋଇଥିବେ । ତାଙ୍କ ଚିନ୍ତାଧାରା ଆପଣଙ୍କ ସହିତ ମେଳ ଖାଇବି କି ନାହିଁ, ଏଭଳି ଅନେକ ପ୍ରଶ୍ନ ମନକୁ ଉଙ୍କି ମାରୁଥିବ । ତେବେ ଏସବୁ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ପଢ଼ନ୍ତୁ ଆମର କେତୋଟି ଟିପ୍ସ ।
ବିବାହ ପାଇଁ ବାପାମା’ ପସନ୍ଦ କରିଥିବା ଜୀବନସାଥୀଙ୍କୁ ଭେଟିବା ପୂର୍ବରୁ ଆଗ ନିଜକୁ ପ୍ରଶ୍ନ କରନ୍ତୁ, ଆପଣ ବିବାହ କରିବା ପାଇଁ ମାନସିକ ଓ ଶାରୀରିକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତ? ବିବାହ ପୂର୍ବରୁ ଥରେ ତାଙ୍କ ସହ ଏକାନ୍ତରେ କଥା ହୁଅନ୍ତୁ । ପରସ୍ପରକୁ ଜାଣନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ ।
ଯଦି ଆପଣ ବିବାହ କରିବାକୁ ମନସ୍ଥ କରିଛନ୍ତି ତା’ ହେଲେ ଆପଣ କେମିତି ଜୀବନସାଥୀ ଚାହୁଁଛନ୍ତି ସେ ବିଷୟରେ ଚିନ୍ତା କରନ୍ତୁ । ବିବାହ ପରେ ଆପଣଙ୍କ ପତ୍ନୀ ଚାକିରି କରିବା ଆବଶ୍ୟକ କି ନାହିଁ ।
ଘରେ ରହି ଆପଣଙ୍କ ପରିବାରକୁ ଧ୍ୟାନ ଦେବା ଦରକାର ତାହା ନିର୍ଣ୍ଣୟ କରନ୍ତୁ । କାରଣ ଅନେକ ମହିଳା ବାହାଘର ପରେ ବି ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି । ଚାକିରି କ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ଆପଣଙ୍କୁ କିମ୍ବା ପରିବାରକୁ ସମୟ ଦେଇପାରିବେ କି ନାହିଁ । ଫଳରେ ଘରେ ଅଶାନ୍ତି ଆରମ୍ଭ ହୋଇଥାଏ ।
ବିଗତ ଦଶ ବର୍ଷ ମଧ୍ୟରେ ଯୁଗ ଅନେକ ବଦଳିଛି । ରୀତିନୀତିରେ ବି ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁୂ କେବଳ ପରିବାର ବର୍ଗ ଯାହାକୁ ପସନ୍ଦ କରୁଥିଲେ ତାହାକୁ ହିଁ ସ୍ୱୀକାର କରିବାକୁ ପଡୁଥିଲା । କିନ୍ତୁ ଏବେ ଏହି ଧାରାରେ ପରିବର୍ତ୍ତନ ଆସିଛି । ତେଣୁ ବିବାହ ପୂର୍ବରୁ ପ୍ରାର୍ଥୀଙ୍କ ବାୟୋଡାଟା ଭଲ ଭାବରେ ଚେକ୍ କରନ୍ତୁ । ଏହା ଆପଣଙ୍କ ବୈବାହିକ ଜୀବନରେ ପାଇଁ ଭଲ ।
ବିବାହ ପୂର୍ବରୁ ଅଧିକାଂଶ ମହିଳା ମନ ଖୋଲା ଆଲୋଚନା କରିବାକୁ ଭୟ କରନ୍ତି । ଲାଜ କରନ୍ତି । ତେଣୁ ପରସ୍ପର କଥାବାର୍ତ୍ତା କଲା ବେଳେ ଦମ୍ଭର ସହ କଥା ହୁଅନ୍ତୁ । ଯେପରି ଭାବର ଆଦାନ ପ୍ରଦାନ ହୋଇପାରିବ ।
ଯିଏ ଆପଣଙ୍କ ହାତ ଧରିବ ତାଙ୍କ ସହ କଥା ହେବା ପାଇଁ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଆଉ ସେ ସମସ୍ତ ବିଷୟରେ ଆଲୋଚନା କରନ୍ତୁ । ଫଳରେ ଆପଣ ତାଙ୍କ ମାନସିକତାକୁ ବୁଝିପାରିବେ । ଏଥିସହ ତାଙ୍କ ଭବିଷ୍ୟତ ବିଚାରାଧାରା ବିଷୟରେ ସାମୟିକ ଅବଗତ ହୋଇପାରିବେ ।
ଯଦି ଆପଣ ବିବାହ ପାଇଁ ସ୍ଥିର କରିଛନ୍ତି ଅବା ଭବିଷ୍ୟତରେ କେହି ଆପଣଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି ତା’ ହେଲେ ଆପଣ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ଏଥିରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।
ବିବାହ ପୂର୍ବରୁ ନିଜର ଲୁକ୍ ପ୍ରତି ଧ୍ୟାନ ଦିଅନ୍ତୁ । ଶାରୀରିକ ଗଠନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କାରଣ ସୁନ୍ଦର ଦିଶିବା ସବୁ କ୍ଷେତ୍ରରେ ଗୁରୁତ୍ୱ ରଖେ ।
ଆପଣ ନିଜ ଜୀବନ ସାଥୀ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରନ୍ତୁ । ତାଙ୍କର ଅଭ୍ୟାସ କ’ଣ । ତାଙ୍କ ରୁଚି ଅରୁଚି ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।
ଜୀବନସାଥୀଙ୍କୁ ଭେଟିବା ପୂର୍ବରୁ ସୁଗନ୍ଧିତ ଅତର ମାଖି ହୁଅନ୍ତୁ । କାରଣ ଏହା ଇମ୍ପ୍ରେସନ ବଢ଼ାଇବାରେ ଖୁବ ସହାୟକ ହେବ । ତେଣୁ ଡିଓଡୋରାଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏଥିସହିତ ଧ୍ୟାନ ରଖନ୍ତୁ ଡିଓଡୋରାଣ୍ଟ ଯେପରି ବାସ୍ନାଯୁକ୍ତ ହୋଇଥିବ ।
ଜୀବନସାଥୀଙ୍କ ସହିତ ବାର୍ତ୍ତାଳାପ କଲାବେଳେ ସଞ୍ଜମତା ରକ୍ଷା କରନ୍ତୁ । ବିଶେଷ କରି କୋମଳ କଣ୍ଠ ଓ ଭାଷା ପ୍ରତି ଧ୍ୟାନ ଦିଅନ୍ତୁ ।


