ଜାତିଗତ ପ୍ରମାଣ ପତ୍ର ଦାବୀରେ ତହସିଲ ସମ୍ମୁଖରେ ଅନଶନ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍):ମଙ୍ଗଳବାର ବନ୍ତ ବ୍ଲକ ଟିଲୋ କଣ୍ଟାପଡା ଗ୍ରାମର ସୁପ୍ରଭା ଦାସ ଜାତିଗତ ପ୍ରମାଣ ପତ୍ର ପାଇବା ଦାବୀରେ ତହସିଲ ସମ୍ମୁଖରେ ଅନଶନରେ ବସିଛନ୍ତି । ଗତ ଫେବୃଆରୀ ୧୭ ତାରିଖରୁ ସେ ଓ ତାଙ୍କ ପରିବାରବର୍ଗ ଧାରଣାରେ ବସିଥିବା ବେଳେ ପ୍ରଶାସନ କୌଣସି କର୍ଣ୍ଣାପାତ କରିନଥିଲା । ପ୍ରକାଶ ଥାଉକି, ଗତ ୨୦୧୭ ମସିହାରେ ସୁପ୍ରଭା ଦାସ ଟିଲୋ ପଞ୍ଚାୟତର ସମିତି ସଭ୍ୟା ଭାବେ ଅନୁସୂଚିତ ଜନଜାତି ଆସନରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେତେବେଳେ ସେ ମାନୁଆଲ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ଅନ୍ଲାଇନରେ ଜାତିଗତ ପ୍ରମାଣ ପତ୍ର ପାଇବା ନେଇ ଆବେଦନ କରିଥିଲେ । ଦୀର୍ଘ ୩ ବର୍ଷ ପରେ ତହସିଲ ପକ୍ଷରୁ ତାଙ୍କର ଆବେଦନକୁ ଖାରଜ କରିଦିଆଗଲା । ଫଳରେ ସେ ବାଧ୍ୟ ହୋଇ ଧାରଣା ଦେଇଥିଲେ । ଆଜି ଜିଲା ପ୍ରଶାସନ ପକ୍ଷରୁ ଜିଲା ମଂଗଳ ଅଧିକାରୀ ପ୍ରଦୀପ୍ତ କୁମାର ଜେନା ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଅନଶନ ଜାରି ରହିଥିବା ଜଣାଯାଇଛି ।