ଜାତିରଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଝୁଲିରହିଲା ପୁରୁଣା ଫୁଲମାଳ!

ଆସିକା, (ୱାଇଏନ୍‍ଏସ୍‍):ଜାତିରଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଗୁରବାର ସାରା ଦେଶରେ ବିଭିନ୍ନ ଅନୁଷ୍ଟାନ ପକ୍ଷରୁ ପାଳିତ ହୋଇଯାଇଛି । କିନ୍ତୁ ଏହିଭଳି ତିଥିରେ ଆସିକା ଏନ୍‍ଏସି ଅଧୀନସ୍ଥ ୫ ନମ୍ବର ୱାର୍ଡର ହାଟପଦା ଛକ ନିକଟରେ ଥିବା ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ମୃତିସଭାଟିଏ ଆୟୋଜନ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ତ ଦୂରର କଥା ଫୁଲମାଳଟିଏ ନ ପଡିବା ଘଟଣା ସଚେତନ ନାଗରିକଙ୍କୁ ହତଚକିତ କରିଦେଇଥିବା ଲକ୍ଷ୍ୟ କରାଯାଇଛି । ସେଠାରେ ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୂର୍ବରୁ ଗତ ସାଧାରଣତନ୍ତ୍ର ଦିବସରେ ପକାଯାଇଥିବା ପୁରୁଣା ଫୁଲମାଳ ଆଜି ବି ଶୋଭା ପାଉଥିବା ଦେଖିବାକୁ ମିଳିଛି । ମହାମାନବ ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ସଭା ସମିତି ଗୁଡିକରେ ଭାଷଣ ଦେଉଥିବା ବ୍ୟକ୍ତିବିଶେଷ ଓ ସଂଗଠନ କିଭଳି ଆସିକା ହାଟପଦା ଛକ ନିକଟରେ ଥିବା ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପକାଇବାକୁ ଭୂଲିଗଲେ ତାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଭାରତବର୍ଷରେ ଯେଉଁ ମହାମନିଷୀ ଧରାବତରଣ କରିଥିଲେ ସେମାନଙ୍କ ମଧ୍ୟରୁ ମୋହନଦାଶ କରମଚାନ୍ଦ ଗାନ୍ଧୀ ଅନ୍ୟତମ । ମହାମାନବ ମହାତ୍ମାଗାନ୍ଧୀ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ଏକାଧାରରେ ଲେଖକ, ଦାର୍ଶନିକ, ସତ୍ୟ ଅହିଂସାର ପୂଜାରୀ, ଶାନ୍ତିପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ସ୍ୱରାଜବାଦୀ, ସତ୍ୟାଗ୍ରହୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ସୂତ୍ରଧର, ଅହିଂସାର ପ୍ରତୀକ, ଆମ ଜାତିର ଜନକ । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ଦୈନିକ ଫୁଲମାଳଟିଏ ପଡିବା ତ ଦୂରର କଥା ବର୍ଷକୁ ଏଭଳି ଶ୍ରାଦ୍ଧତିଥିରେ ମଧ୍ୟ ସ୍ମୃତିସଭାଟିଏ ଆୟୋଜନ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ସ୍ଥାପିତ ହୋଇଥିବା କେତେକ ମହାପୁରୁଷ ଓ ମହାମନିଷୀ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ କେବଳ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ଫୁଲମାଳ ପଡୁଥିବା ବେଳେ ଆଜି ଭଳି ଦିନରେ ହାଟପଦା ଛକ ନିକଟସ୍ଥ ମସ୍‍ଜିଦ୍‍ ସମ୍ମୁଖରେ ସ୍ଥାପିତ ହୋଇଥିବା ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ନପଡିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ଅବହେଳିତ ହୋଇପଡିରହୁଛି ବରପୁତ୍ରଙ୍କ ପ୍ରତିମୂର୍ତ୍ତି । ପ୍ରତିମୂୁର୍ତ୍ତିର ରକ୍ଷଣାବେକ୍ଷଣ ପ୍ରତି ପ୍ରାୟତଃ କାହାର ନଜର ପଡୁନି । କେଉଁଠି ପ୍ରତିମୂର୍ତ୍ତିରେ ଦିନ ଦିନ ଧରି ସୁଖିଲା ଫୁଲହାର ପଡିରହୁଛି ତ ଅନ୍ୟ କେଉଁଠି ଅପରିଷ୍କାର ହୋଇପଡିରହୁଛି ବରପୁତ୍ର, ମହାମନିଷୀ, ସହିଦ୍‍, ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । କେବଳ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ପୂର୍ବରୁ କେତେକ ସ୍ଥାନରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକୁ ଧୁଆଧୋଇ ହୋଇ ପୋଛାଯାଉଛି । ବରପୁତ୍ରମାନଙ୍କ ସମ୍ମାନ ଦେବା, ସେମାନଙ୍କ ଅବଦାନକୁ ନେଇ ପରପିଢୀକୁ ସଚେତନ କରାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ବହୁ ମହାମନିଷୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ହେଲେ ଅଧିକାଂଶ ସ୍ଥାନରେ ପ୍ରତିମୂର୍ତ୍ତିଗୁଡିକ ଲକ୍ଷ୍ୟ ଠାରୁ ବହୁ ଦୂରରେ ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିକୁ ଉଚିତ ସମ୍ମାନ ଦେବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ