ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ଛତ୍ରପୁର,: ଗଂଜାମ ଜିଲ୍ଲାକୁ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ଭୟ ରହିଛି । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି ଏବଂ ସଫଳତା ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ନିମନ୍ତେ ନିଜେ ବଞ୍ଚିବା ଏବଂ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ବିଭିନ୍ନ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜିତ ହେଉଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ କିପରି ମୁକାବିଲା କରିବା ନିଜକୁ ସୁରକ୍ଷିତ ରଖିବା ସେ ସଂପର୍କରେ ଚଳିତ ବର୍ଷ ଜିଲ୍ଲାର ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏଥିପାଇଁ ଗଞ୍ଜାମର ୧୫୦ ଗୋଟି ଗ୍ରାମରେ ସ୍ୱୟଂସିଦ୍ଧା ଗୋଷ୍ଠୀ ଗଠନ କରାଯାଇଥିବା ସ୍ଥଳେ ଏହାକୁ ଅଧିକ ପ୍ରସାରିତ କରାଯିବା ନିମନ୍ତେ ଲକ୍ଷ୍ୟ ରହିଛି । ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ବିଶେଷ କରି ମହିଳାମାନେ ବିପର୍ଯ୍ୟୟ ବେଳେ ଲୋକଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିବେ ତେବେ ଅନ୍ୟମାନେ ଏଭଳି କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଉତ୍ସାହିତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତିି । ଅକ୍ଟୋବର ୨୯ ତାରିଖ ଦିନ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ଅଧ୍ୟକ୍ଷତା କରି ପ୍ରାକୃତିକ ବିପର୍ଯ୍ୟୟ ସହିତ ମନୁଷ୍ୟକୃତ ବିପର୍ଯ୍ୟୟ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିରୋ କାଜୁଆଲଟିକୁ ଉପରେ ସଂପୂର୍ଣ୍ଣ ଗୁରୁତ୍ୱାରୋପ ରହିବ । ଚଳିତ ବର୍ଷ ଗଞ୍ଜାମରେ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ଗଠନ କରାଯାଇଥିବା ସ୍ୱୟଂସିଦ୍ଧା ଦଳ ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରହଣ କରିଥିବା ତାଲିମ ପ୍ରଦର୍ଶନ କରିବେ । ଏହିମାନେ ଗାଁ ଗହଳିରେ ଲୋକମାନଙ୍କୁ ଅଧିକ ସଚେତନତା କରିବା ପାଇଁ ପଦକ୍ଷେପ ନେବେ । ରନ୍ଧନ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେଲେ ତାକୁ କିପରି ଆୟତ୍ତ କରାଯିବ ତାହା ଉକ୍ତ ଦିବସରେ ପ୍ରଦର୍ଶିତ ହେବ । ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷିତ ରହିବା ପାଇଁ ଆବଶ୍ୟକ ତାଲିମ ପ୍ରଦାନ କରାଯିବ । ସେହିପରି ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ଥିବା ରାସାୟନିକ କାରଖାନା ଗୁଡିକରେ ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ରହିଥିବା ସବୁ ରାସାୟନିକ କାରଖାନା ଗ୍ରହଣ କରିଥିବା ନିରାପତ୍ତା ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ । ନଚେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ କାରାଖାନା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି । ଏଥିସହ ଏହି ଅଞ୍ଚଳରେ ଥିବା ଗୋପାଳପୁର ବନ୍ଦର, ଟାଟା ଷ୍ଟିଲ୍, ସରାଫ ଟିଟାନିୟମ୍ ଏବଂ ଅନ୍ୟାନ୍ୟ ଶିଳ୍ପ କାରଖାନା ଗୁଡିକରେ ନିରାପତ୍ତା ସଂପର୍କିତ ନେଇ ଚଳିତ ମାସ ୨୭ ତାରିଖରେ ରାଜ୍ୟରେ ଆଲୋଚନା ରହିଛି ବୋଲି ଓସଡୋମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ବୈଠକରେ ସୂଚନା ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞାପରମିତା ଥାଟୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଅଷ୍ଟମ ବାଟାଲିଅନ୍ର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଗୋପବନ୍ଧୁ ତ୍ରିପାଠୀ, ଓଡ୍ରାଫ୍ ମେଜର ମୋହନ କୁମାର ରାଉତ, ଓସଡୋମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ ।


