ଜାତୀୟ ଯୁବ ଦିବସ ସପ୍ତାହ ଉପଲକ୍ଷେ ସଚେତନତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ତ ଗଜପତି ଜିଲ୍ଲା ନହେରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ଯୁବ ଦିବସ ସପ୍ତାହ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଏସ୍କେସିଜି ଅଟନମସ୍ କଲେଜ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କଲେଜର ଏନ୍ସିସି ୱିଙ୍ଗ ତରଫରୁ ଏକ ସଚେତନତା ର୍ୟାଲି କରାଯାଇଥିଲା । ଏହି ସଚେତନତା ର୍ୟାଲିରେ ମୁଖ୍ୟତଃ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର କରୋନା ଗାଇଡଲାଇନ ପାଳନକୁ ନେଇ ବିଭିନ୍ନ ବାର୍ତ୍ତା ଓ ସ୍ଲୋଗାନମାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ଯୋଗ ଦେଇ ଉପସ୍ଥିତ ଯୁବଗୋଷ୍ଠୀଙ୍କୁ ଉତ୍ସାହିତ କରିବା ସହ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଉପରେ ଟିପ୍ପଣୀ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ସ୍ଥିତ ଏନ୍ୱାଇକେର ସ୍ୱେଚ୍ଛାସେବୀ ଭି.ଭବାନୀ ପ୍ରସାଦ, ଏ.ମହେଶ୍ୱର ପ୍ରମୁଖ ପରିଚାଳନା କରିଥିବା ବେଳେ କେନ୍ଦ୍ର ପ୍ରଶିକ୍ଷିକା ମୋହିନୀ ପ୍ରଧାନ ସହଯୋଗ କରିଥିଲେ ।