ଜାତୀୟ ସଂକଟ ପରିଚାଳନା କମିଟି ଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗ ବାତ୍ୟା ବିପନ୍ନ ଅଞ୍ଚଳର ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ : କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସଂକଟ ପରିଚାଳନା କମିଟି (ଏନସିଏମସି ) ବୈଠକରେ ସାମୁଦ୍ରିକ ବାତ୍ୟା ଅମ୍ଫନ ଦ୍ୱାରା ପ୍ରଭାବିତ ଓଡ଼ିଶା ଓ ପଶ୍ଚିମବଙ୍ଗର ବିପନ୍ନ ଅଞ୍ଚଳର ସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି । ବୈଠକରେ ସଂପୃକ୍ତ ଦୁଇ ରାଜ୍ୟର ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାର ଅଧିକାରୀମାନେ ଭାଗ ନେଇଥିଲେ । ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦ୍ୱୟ କହିଥିଲେ ଯେ ବାତ୍ୟା ଅମ୍ଫନର ଗତିବିଧି ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗର ନିର୍ଭୁଲ ପ୍ରାକ୍ ସୂଚନା ତଥା ଯଥେଷ୍ଟ ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଏନଡିଆରଏଫ ମୁତୟନ ହେବା ଫଳରେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ସମ୍ଭବ ହୋଇଛି । ପଶ୍ଚିମବଙ୍ଗରେ ୫ ଲକ୍ଷ ଓ ଓଡ଼ିଶାରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ଅପସାରିତ କରି ନିରାପଦ ସ୍ଥାନରେ ଆଶ୍ରୟ ଦିଆଯାଇଥିଲା । ଏହା ଫଳରେ ବାତ୍ୟା ଯୋଗୁ ଜୀବନହାନୀ ହାର ସର୍ବନିମ୍ନ ରହିଛି । ଅମ୍ଫନର ବେଗ ୧୯୯୯ ଓଡ଼ିଶା ମହାବାତ୍ୟାର ବେଗଠାରୁ ସାମାନ୍ୟ କମଥିବାରୁ ଆଗୁଆ ବ୍ୟାପକ ସତର୍କତା ଓ ପ୍ରସ୍ତୁତି କରାଯାଇ ନଥିଲେ ପରିସ୍ଥିତି ଭୟାନକ ହୋଇଥାନ୍ତା ବୋଲି ଉଭୟ ମତ ଦେଇଛନ୍ତି । ବାତ୍ୟାରେ ପଶ୍ଚିମବଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଠାକୁ, ବିଶେଷ କରି କୋଲକାତାକୁ ଅଧିକ ଏନଡିଆରଏଫ ଦଳ ପଠାଯାଇଛି । ବିପନ୍ନ ଓ ବିଚ୍ଛିନ୍ନ ହୋଇ ପଡିଥିବା ଲୋକଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ପଶ୍ଚିମବଙ୍ଗକୁ ପର‌୍ୟାପ୍ତ ପରିମାଣର ଚାଉଳ ଯୋଗାଣ ନିଶ୍ଚିତ କରୁଛି । ଉଭୟ ରାଜ୍ୟରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟୁତ ଓ ଟେଲିଫୋନ ସଂଚାର ବ୍ୟବସ୍ଥାକୁ ଶୀଘ୍ର ସୁଧାରିବା ପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଟେଲିକମ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ରେଳବାଇର ଭିତ୍ତିଭୂମି ଓ ସମ୍ପତ୍ତି ବାତ୍ୟା ଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ପୁନରୁଦ୍ଧାର କାର‌୍ୟ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚଳାଇ ଶୀଘ୍ର ସେବା ଆରମ୍ଭ କରିବାକୁ ରେଳବାଇ ଚେଷ୍ଟା କରୁଛି । ବୈଠକରେ ଓଡ଼ିଶା କହିଥିଲା ଯେ, ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି କୃଷିକ୍ଷେତ୍ର ମଧ୍ୟରେ ସୀମିତ ରହିଛି । କ୍ୟାବିନେଟ ସଚିବ ଗୌବା ବାତ୍ୟାଞ୍ଚଳର ସାହାଯ୍ୟ ଓ ଉଦ୍ଧାର କାର‌୍ୟ୍ୟ ସମୀକ୍ଷା କରିବା ସହ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ସହ ସମ୍ପର୍କରେ ରହି ଆବଶ୍ୟକ ସ୍ଥଳେ ଅତିରିକ୍ତ ସହାୟତା ଯୋଗାଇଦେବାକୁ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ତୁରନ୍ତ ଦୁଇ ରାଜ୍ୟକୁ କେନ୍ଦ୍ରୀୟ ଦଳ ପଠାଯିବା ଘେନି କ୍ୟାବିନେଟ ସଚିବ ସୂଚନା ଦେଇଛନ୍ତି । ସମୀକ୍ଷା ବୈଠକରେ ଓଡ଼ିଶା ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଦ୍ୱୟ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଯୋଗ ଦେଇଥିଲେ । ସ୍ୱରାଷ୍ଟ୍ର, ପ୍ରତିରକ୍ଷା, ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ରେଳବାଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଶକ୍ତି, ଯୋଗାଯୋଗ, ଇସ୍ପାତ, ପାନୀୟ ଜଳ ଓ ପରିମଳ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥା ଭାରତୀୟ ପାଣିପାଗ ବିଭାଗ, ଏନଡିଏମଏ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀଗଣ ଏହି ସମୀକ୍ଷା ବୈଠକରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ