କନ୍ଧମାଳରେ ଆଉ ଜଣେ କରୋନା ପଜିଟିଭ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବ କରୋନା ଆକ୍ରାନ୍ତଦ୍ୱୟଙ୍କ ପରି ତୃତୀୟ ଜଣକ ମଧ୍ୟ କ୍ୱାରାଣ୍ଟାଇନ୍‌ରେ ଥିଲେ l ଟିକାବାଲି ବ୍ଲକ ଅଞ୍ଚଳର ଏହି ବ୍ୟକ୍ତି ଜଣକ କେରଳରୁ କିଛିଦିନ ପୂର୍ବେ ଘରକୁ ଆସିଥିଲେ l ତାଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖା ଯାଇଥିଲା l ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦିଆଯାଇଛି l ଅନ୍ୟପକ୍ଷରେ ମଙ୍ଗଳବାର ସୁଦ୍ଧା ଦେଶର ୧୭ ରାଜ୍ୟରୁ ମୋଟ ୧୬୧୪ ପ୍ରବାସୀ ଜିଲାକୁ ଫେରିଛନ୍ତି। ସେମାନଙ୍କୁ ଜିଲାର ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ୪୨ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ସକାଳ ୭ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି। ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନକୁ ବାଧ୍ୟତାମୂଳକ କରାଯାଇଛି। ପ୍ରବାସୀ ଓଡ଼ିଆ ରହୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୧୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ବଳବତ୍ତର ରହିଛି। ଏଥିସହିତ ଜିଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ଏହାର ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। କୌଣସି ପ୍ରକାର ଗୁଜବକୁ ଆଧାର କରି ବିଚଳିତ କିମ୍ବା ଆତଙ୍କିତ ନ ହେବା ଏବଂ କୋଭିଡ୍‌ -୧୯ ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରିବାକୁ ଜିଲା ପ୍ରଶାସନ ତରଫରୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ