ଜାତୀୟ ସାମ୍ବାଦିକ ୟୁନିୟନ (ଆଇ) ଓଡ଼ିଶା ଶାଖାର କାର୍ଯ୍ୟକାରୀ ବୈଠକ
ଭୁବନେଶ୍ୱର(ଯୁଗାବ୍ଦ ନ୍ୟୁଜ୍): ଭୁବନେଶ୍ୱରଠାରେ ଜାତୀୟ ସାମ୍ବାଦିକ ୟୁନିୟାନ (ଆଇ) ଓଡ଼ିଶା ଶାଖାର ପ୍ରଥମ କାର୍ଯ୍ୟକାରୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୩୦ରୁ ଉଦ୍ଧ୍ୱର୍ ଜିଲ୍ଲାର ସମ୍ବାଦିକଙ୍କ ସମେତ ରାଜ୍ୟର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ବୈଠକରେ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇ ସରକାରଙ୍କୁ ଜଣାଇବା ପାଇଁ ଏକ ଯୋଜନା ପ୍ରସ୍ତୁତି କରାଯାଇଛି । ସାମ୍ବାଦିକମାନଙ୍କ ପାଇଁ ୱେଲ୍ଫେୟାର ଫଣ୍ଡ ତିଆରି କରିବା, ସାମ୍ବାଦିକମାନଙ୍କ ବାର୍ଷିକ ବୀମା ଅବଧି ସରିଯାଉଥିବାରୁ ଓ ଏହା ପୂର୍ବରୁ ନିର୍ବାଚନ ଥିବାରୁ ସରକାର ସ୍ୱାସ୍ଥ୍ୟବୀମା ୨୦୧୯-୨୦ ନବୀକରଣ କରିବା, ରାଜ୍ୟରେ ଥିବା ସମସ୍ତ କର୍ମଜୀବି ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ, ଯୁବ ସାମ୍ବାଦିକମାନଙ୍କ ପାଇଁ ରାଜଧାନୀରେ ଏକ ହଷ୍ଟେଲ୍ ନିର୍ମାଣ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ନିର୍ବାଚନ ପୂର୍ବରୁ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କୁ ଭେଟି ସାମ୍ବାଦିକମାନଙ୍କର ଦାବି ପୂରଣ ଦିଗରେ ଉଚିତ୍ ପଦକ୍ଷେପ ନେବା ପାଇଁ ନିବେଦନ କରିବେ । ବରିଷ୍ଠ ସାମ୍ବାଦିକ ତଥା ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଲଳିତ ମିଶ୍ର, କୋଷାଧ୍ୟକ୍ଷ ବିଜୟ ମିଶ୍ର, ପ୍ରମୋଦ ସାମନ୍ତରାୟ, ତପନ କୁମାର ଲେଙ୍କା, ସନାତନ ଦଳବେହେରା, ସତ୍ୟନାରାୟଣ ବେହେରା, ଉମେଶ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାଂଗଠନିକ ସମ୍ପାଦକ ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।